ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ତେଲି ସମାଜ, କଂସାରୀଗୁଡ଼ାବାସୀ

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ଜାତିଭିତ୍ତିକ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପଦକ୍ଷେପ ଲାଗି ବିଭିନ୍ନ ବର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଉଛି। ସୋମବାର ତେଲି ସମାଜ ପକ୍ଷରୁ ମଧ୍ୟ ସ୍ବାଗତ କରାଯାଇଛି। ଏଥିସହିତ ତେଲି ସମାଜର ଏକ ପ୍ରତିନିଧି ଦଳ ପୂର୍ବାହ୍ନରେ ନବୀନ ନିବାସ ଗସ୍ତକରି ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏହି ପ୍ରତିନିଧି ଦଳରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ସ୍ନେହି ସମାଜ ସଭାପତି ବିଶ୍ୱନାଥ ସୁବୁଦ୍ଧି ପ୍ରମୁଖ ରହିଥିଲେ। ସେହିଭଳି ରାୟଗଡ଼ା ଜିଲାର କଂସାରୀଗୁଡ଼ାଠାରେ ଆଦିତ୍ୟ ବିର୍ଲା ଦ୍ୱାରା କରାଯାଉଥିବା ପ୍ରକଳ୍ପକୁ ମଧ୍ୟ ସ୍ବାଗତ କରାଯାଇଛି। ସେହି ମର୍ମରେ ସ୍ଥାନୀୟ ସୁରକ୍ଷା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି। ସୋମବାର ଅପରାହ୍ନରେ ସ୍ଥାନୀୟ ଏକ ପ୍ରତିନିଧି ଦଳ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।