ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

ଭୁବନେଶ୍ୱର, ୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ଦୁଗ୍ଧଚାଷୀମାନେ ମଧ୍ୟ ବ୍ୟାପକ କ୍ଷତି ସହିବାରେ ଲାଗିଛନ୍ତି। ସେମାନେ ଆଉ ପୂର୍ବଭଳି କୌଣସି ସଂସ୍ଥାକୁ କ୍ଷୀର ଯୋଗାଇପାରୁ ନ ଥିବାବେଳେ ଦୋକାନ, ବଜାର ବନ୍ଦ କାରଣରୁ ପ୍ରଚୁର ପରିମାଣର କ୍ଷତି ସହୁଛନ୍ତି। ସେହିପରି ଓମ୍‌ଫେଡ୍‌ ମଧ୍ୟ ସେମାନଙ୍କଠାରୁ ଯେତିକି କ୍ଷୀର ନେଉଥିଲା ତା’ର ପରିମାଣ କମିଯାଇଛି; ଯେଉଁଥିଲାଗି ଓଡ଼ିଶାର ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଚିଠି ଲେଖି ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଟୁଇଟ୍‌କରି ଉଲ୍ଲେଖ କରିଛନ୍ତି, ଗୋପାଳକମାନେ ବର୍ତ୍ତମାନ ସମୟରେ ଦୋକାନ, ବଜାର ବନ୍ଦ ଯୋଗୁ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରିପାରୁନାହାନ୍ତି। ଓମ୍‌ଫେଡ୍‌ ମଧ୍ୟ ନିଜ କ୍ଷମତାଠାରୁ କମ୍‌ ପରିମାଣର ଦୁଗ୍ଧ ଚାଷୀଙ୍କଠାରୁ ସଂଗ୍ରହ କରୁଛି। ଫଳରେ ଚାଷୀମାନେ ହତାଶ ହୋଇ ଦୁଗ୍ଧ ଢାଳି ଦେଉଛନ୍ତି। ଏଥିଲାଗି ସେମାନେ ଘୋର କ୍ଷତିର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଗୋପାଳକମାନଙ୍କୁ କିଛି କ୍ଷତିପୂରଣ ଦେବା ସହ ଏହି ସମସ୍ୟାର ସମାଧାନ କରିବା ଲାଗି ଷଡ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି। ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ନିଜ ଟୁଇଟରରେ ଶେୟାର କରିଛନ୍ତି।