ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲା ଜିଲା ଶିକ୍ଷା ବିକାଶ ପରିଷଦ

ଭବାନୀପାଟଣା,୨୮।୧୦(ଡି.ଏନ୍‌.ଏ.): ରାଜ୍ୟ ସରକାର କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିବାରୁ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶକ୍ତି ଶିଳ୍ପ ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏଥିପାଇଁ ସ୍ଥାନୀୟ ହୋଟେଲରେ କଳାହାଣ୍ଡି ଶିକ୍ଷାବିକାଶ ପରିଷଦର ସଭାପତି ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଆଧୁନିକ ଇଣ୍ଟିଗ୍ରେଟେଡ୍‌ କୋର୍ସ ବ୍ୟବସ୍ଥା, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ସଚିବ ଓ ଉଚ୍ଚଶିକ୍ଷା ପରିଷଦର ଉପସଭାପତିଙ୍କ ସହ ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଭବାନୀପାଟଣା ଆସିବା ନିମନ୍ତେ ଶିକ୍ଷା ବିକାଶ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି । ଏହାସହ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନୂତନ ଚିନ୍ତାଧାରା ଭିତ୍ତିରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ଗଢିବା ପାଇଁ ବ୍ୟବସ୍ଥା, ଜୁନ୍‌ ୨୦୨୦ ପୂର୍ବରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ କୁଳପତି, ଅନ୍ୟାନ୍ୟ କର୍ମକର୍ତ୍ତା ଓ ନୂତନ ଅଧ୍ୟାପକ ନିଯୁକ୍ତି ବ୍ୟବସ୍ଥା ଆଦି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଶିକ୍ଷା ବିକାଶ ପରିଷଦର ଉପସଭାପତି ଜଗନ୍ନାଥ ମୁଣ୍ଡ, ସଂପାଦକ କୃଷ୍ଣାବତାର ଦେଓ, ଡ. ଅକ୍ଷୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।