Categories: ବାଣିଜ୍ୟ

ମୁକେଶ ହେଲେ ବିଶ୍ୱର ନବମ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୨୦।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀରେ ବିଶ୍ୱର ଶୀର୍ଷ ୧୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ପ୍ରାୟ ୬୪.୬ ବିଲିୟନ ଡଲାର ସମ୍ପତ୍ତି ସହ ତାଲିକାରେ ସେ ନବମ ସ୍ଥାନରେ ରହିଛନ୍ତି। ସେ ଏକମାତ୍ର ଏସୀୟ ଭାବେ ତାଲିକାର ଶୀର୍ଷରେ ରହିଛନ୍ତି। ରିଲାଏନ୍ସର ଶେୟାର ମୂଲ୍ୟ ବଢ଼ିବାରୁ ପୁଞ୍ଜିବଜାରରେ ଏହାର ମୂଲ୍ୟ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ଛୁଇଁଛି। କମ୍ପାନୀ ଉପରେ ରହିଥିବା ବୃହତ୍‌ ପରିମାଣର ଋଣ ବୋଝକୁ ହାଲ୍‌କା କରିବାରେ ସେ ସକ୍ଷମ ହୋଇଛନ୍ତି। ଶୁକ୍ରବାର ରିଲାଏନ୍ସ ନେଟ୍‌ ଋଣ ମୁକ୍ତ ହୋଇଛି। ଏହା ସମଗ୍ର କର୍ପୋରେଟ ଜଗତ ଲାଗି ଏକ ଶିଖିବା କଥା ହୋଇଛି। ନିଜ କମ୍ପାନୀ ଉପରେ ରହିଥିବା ୧.୬୧ ଲକ୍ଷ କୋଟି ଟଙ୍କାର ନେଟ୍‌ ଋଣକୁ ଶୁଝିବା ଲାଗି ସେ ୨ଟି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ଜିଓ ପ୍ଲାଟ୍‌ଫର୍ମରେ ୨୪% ବିକ୍ରି କରାଯାଇଛି। ଏଥିରୁ ୧.୧୫ ଲକ୍ଷ କୋଟି ଟଙ୍କା ଏବଂ ରାଇଟ୍ସ ଇସ୍ୟୁରୁ ୫୫ ହଜାର କୋଟି ଟଙ୍କା ରିଲାଏନ୍ସ ସଂଗ୍ରହ କରିବାକୁ ସକ୍ଷମ ହୋଇଛି। ୨୦୨୧ ମାର୍ଚ୍ଚ ପୂର୍ବରୁ ରିଲାଏନ୍ସକୁ ଋଣ ମୁକ୍ତ କରିବା ଲାଗି ଦେଇଥିବା ପ୍ରତିଶ୍ରୁତିକୁ ରଖିବାରେ ମୁକେଶ ସଫଳ ହୋଇଛନ୍ତି। ଏହି ଲକ୍ଷ୍ୟକୁ ସେ ୨ ମାସ ଆଗରୁ ହାସଲକରି ନେଇଛନ୍ତି। ସେହିଭଳି ତାଲିକାର ଦଶମ ସ୍ଥାନରେ ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟର ଲାରି ପେଜ୍‌, କପଡ଼ା କମ୍ପାନୀ ଇଣ୍ଡିଟେକ୍ସର ସହପ୍ରତିଷ୍ଠାତା ଅମାନିକୋ ଓର୍ଟେଗୋ ଅଷ୍ଟମ ସ୍ଥାନ, ଓରାକଲର ସହପ୍ରତିଷ୍ଠାତା ଲାରି ଏଲିଶନ ସପ୍ତମ ସ୍ଥାନ, ଷ୍ଟିଭ ବାଲମର ଷଷ୍ଠ ସ୍ଥାନ, ପଞ୍ଚମରେ ଓ୍ବାରେନ ବଫେଟ, ଚତୁର୍ଥ ସ୍ଥାନରେ ଫେସ୍‌ବୁକ୍‌ର ସହପ୍ରତିଷ୍ଠାତା ମାର୍କ ଜୁକରବର୍ଗ, ତୃତୀୟ ସ୍ଥାନରେ ବର୍ନାଡ ଆରନଲ୍ଟ ଆଣ୍ଡ ଫ୍ୟାମିଲି, ଦ୍ୱିତୀୟ ସ୍ଥାନରେ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଏବଂ ପ୍ରଥମ ସ୍ଥାନରେ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ ରହିଛନ୍ତି।

Share