ମୀନାକ୍ଷୀ ମିଶ୍ର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ଭାଜପା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ପୋଲିସଠାରୁ ନ୍ୟାୟ ନ ପାଇ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ରହ୍ମପୁର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ଯଦି ସରକାର ଓ ପ୍ରଶାସନ ତାଙ୍କ ଅଭିଯୋଗ ଶୁଣିଥାନ୍ତେ ତେବେ ମୀନାକ୍ଷୀଙ୍କ ମୃତ୍ୟୁ ହୋଇ ନ ଥାଆନ୍ତା ବୋଲି ଭାଜପା ଅଭିଯୋଗ କରିଛି। ଏହାସହ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଭାଜପା ଦାବି କରିଛି।
ଭାଜପା ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡା କହିଛନ୍ତି, ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର, ଗୃହ ବିଭାଗ ଏବଂ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ। ବିଜେଡି ନେତ୍ରୀ ପ୍ରଶାସନ ପାଖରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରି ଜୀବନ ହାରିବା ଘଟଣା ସମଗ୍ର ନାରୀଜାତିକୁ ଅପମାନିତ କରିଛି। ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ଏଥିରେ ମର୍ମାହତ ହୋଇଛି। ରାଜ୍ୟ ସରକାର ନାରୀମାନଙ୍କୁ ସୁରକ୍ଷା ଦେବାରେ ଫେଲ୍‌ ମାରିଛନ୍ତି। ପୀଡିତାଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ ପ୍ରଶାସନ ପାଖରେ ସମୟ ନାହିଁ। ରାଜ୍ୟରେ କୌଣସି ଘଟଣା ଘଟିଲା ପରେ ପୋଲିସ ଉଦାସୀନ ମନୋଭାବ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପରିଡା କହିଛନ୍ତି। ଥାନାକୁ ଜଣେ ନିରୀହ ଲୋକ ଗଲେ ପୋଲିସ ତାଙ୍କ ସହ ଦୁର୍ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।