‘ମିଶନ ଶକ୍ତି ମେଳା’ରେ ମୁଖ୍ୟମନ୍ତ୍ରୀ: ୫୦୦ ଟଙ୍କା ଦେଇ କିଣିଲେ ଜୁଏଲାରି ବାକ୍ସ, ବ୍ୟାଗ୍‌

ଭୁବନେଶ୍ୱର,୧୨।୧୨(ବ୍ୟୁରୋ) : ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ପ୍ରଥମ ‘ମିଶନ ଶକ୍ତି ମେଳା’କୁ ବୁଧବାର ପରିଦର୍ଶନରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଳା ପରିସର ବୁଲିବା ସହ ଅଂଶଗ୍ରହଣକାରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ଷ୍ଟଲ୍‌ରୁ ୫୦୦ ଟଙ୍କା ଦେଇ ଏକ ଜୁଏଲାରି ବାକ୍ସ ଓ ବ୍ୟାଗ୍‌ କିଣିଥିଲେ। ମେଳା ପରିସରରେ ଥିବା ମାଣ୍ଡିଆ କ୍ୟାଫେ ବୁଲିବା ସହ ପରିବେଶ ଉପଯୋଗୀ ଗୁଆ ବାହୁଙ୍ଗାରୁ ପ୍ରସ୍ତୁତ ଥାଳି, ସବାଇ ଘାସ ଶିଳ୍ପ, ଟେରାକୋଟା ସାମଗ୍ରୀ ଆଦିର ଉଚ୍ଚପ୍ରଶଂସା କରିଥିଲେ। ମହିଳା ଉଦ୍ୟୋଗୀମାନଙ୍କ ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶାରେ ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ଦିଗରେ ସ୍ବୟଂ ସହାୟକ ଗୋଷ୍ଠୀର ଉଲ୍ଲେଖନୀୟ ଅବଦାନ ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ମିଶନ ଶକ୍ତି ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର, ବିଭାଗୀୟ ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା ଆର୍‌. କାର୍ତ୍ତିକେୟନ, ଏନ୍‌ଆର୍‌ଏଲ୍‌ଏମ୍‌ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।
ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଳାରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ, ହସ୍ତଶିଳ୍ପ, ଅଣକାଷ୍ଠ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ସାମଗ୍ରୀ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ହେଉଛି। ମୋଟ ୨୧୩ ଷ୍ଟଲରେ ୩୦ ଜିଲାର ୨୫୧ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉପତ୍ାଦକ ଗୋଷ୍ଠୀ ସେମାନଙ୍କ ସାମଗ୍ରୀ ବିକ୍ରିବଟା କରୁଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ଫୁଡ୍‌ କୋର୍ଟ କରାଯାଇଥିବାବେଳେ ଏଠାରେ ବିଭିନ୍ନ ପିଠାପଣା ସାଙ୍ଗକୁ ମାଣ୍ଡିଆ ବିରିୟାନୀ ଓ ବିଭିନ୍ନ ଲୁପ୍ତପ୍ରାୟ ଓଡ଼ିଆ ଖାଦ୍ୟ ମିଳୁଛି। ବର୍ତ୍ତମାନ ସୁଦ୍ଧା ମୋଟ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ବିକ୍ରିବଟା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସନ୍ଧ୍ୟାରେ ମେଳା ମଞ୍ଚରେ ପଶୁମୁଖା ନୃତ୍ୟ ପରିବେଷିତ ହୋଇଥିଲା।