ମିଶନରେଟ ପୋଲିସକୁ ମହିଳାଙ୍କ ସୁରକ୍ଷା ଚିନ୍ତା: ଛାତ୍ରୀ, ମହିଳା ହେବେ ସ୍ପେଶାଲ ପୋଲିସ ଅଫିସର

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ଓଡ଼ିଶା ସମେତ ସାରା ଦେଶରେ ଏବେ ମହିଳାମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ବଳାତ୍କାର ଓ ନିର୍ଯାତନା ସୀମା ଟପିଛି। ବିଶେଷକରି ହାଇଦ୍ରାବାଦ ମହିଳା ଡାକ୍ତର ଏବଂ ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଚିନ୍ତା ବଢ଼ିଛି। ପାଠପଢ଼ାଠାରୁ ଆରମ୍ଭ କରି କର୍ମକ୍ଷେତ୍ର ଓ ବାହାରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ କମିଶନରେଟ ପୋଲିସ ଏକ ନୂଆ ନିଷ୍ପତ୍ତି ନେଇଛି। ଏଣିକି ଛାତ୍ରୀ ଓ କର୍ମଜୀବୀ ମହିଳାଙ୍କୁ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ଭାବେ ନିଯୁକ୍ତି ମିଳିବ। ସେମାନଙ୍କୁ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ପ୍ରତିଷ୍ଠାନ ଓ କର୍ପୋରେଟ ଅଫିସରେ ନିୟୋଜିତ କରାଯିବ। ଆସନ୍ତା ୨ ତାରିଖରେ ଭୁବନେଶ୍ୱର ଓ ପରବର୍ତ୍ତୀ ସମୟରେ କଟକରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବିଭିନ୍ନ କାର୍ଯ୍ୟାଳୟରେ ମହିଳାମାନେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ଚାକିରି ଚାଲିଯିବା ଭୟ ଓ ଥାନାକୁ ଅଭିଯୋଗ କରିବାକୁ ଗଲେ ପୋଲିସ ନ ଶୁଣିବା ଆଶଙ୍କା କରି ଏଭଳି ସଙ୍ଗିନ ଅପରାଧକୁ ଲୁଚାଇ ରଖିଥାନ୍ତି। ମହିଳା ଏସ୍‌ପିଓମାନେ ମହିଳା କର୍ମଚାରୀଙ୍କ ସହ ଉତ୍ତମ ସମ୍ପର୍କରେ ରହିବା ସହ ସହଯୋଗ ଓ ସୁରକ୍ଷା ଯୋଗାଇଦେବେ। ଏସ୍‌ପିଓଙ୍କ ମଧ୍ୟରୁ ପ୍ରତିନିଧି ବଛାଯିବେ। ଏନେଇ ସମସ୍ତ କର୍ପୋରେଟ ହାଉସ୍‌କୁ କମିଶନରେଟ ପୋଲିସ ପକ୍ଷରୁ ଚିଠି କରାଯାଇଛି। ଏସ୍‌ପିଓ ପାଇଁ ସେମାନେ ତାଲିକା ପୋଲିସକୁ ଦେବେ। ୪ କର୍ପୋରେଟ ହାଉସ ଏଥିରେ ସହମତି ପ୍ରକାଶ କରିବା ସହ ତାଲିକା ଦେଇଥିବା ଜଣାପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ୧୫୦ଜଣ ଛାତ୍ରୀ ଓ କର୍ମଜୀବୀ ମହିଳାଙ୍କୁ ଆତ୍ମରକ୍ଷା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। କୌଣସି ସ୍ବତନ୍ତ୍ର ପୋଷାକର ବ୍ୟବସ୍ଥା ହୋଇ ନ ଥିବାବେଳେ ସେମାନେ ନିୟମିତଭାବେ ପୋଲିସର ଯୋଗାଯୋଗରେ ରହିବେ। ଏଥିପାଇଁ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରାଯାଇ ସମସ୍ତ ଏସ୍‌ପିଓଙ୍କୁ ଯୋଡ଼ାଯିବ। ଛାତ୍ରୀ କିମ୍ବା କର୍ମଜୀବୀ ମହିଳା ନିର୍ଯାତନାର ଶିକାର ହେଉଥିବା ସୂଚନା ପାଇବା ମାତ୍ରେ ପୋଲିସକୁ ଜଣାଇବେ। ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି।