ମିଳୁନି ସହାୟତା, ପୁନରୁଦ୍ଧାରରେ ବାଧା: ଉଜୁଡ଼ା ବେପାର ସଜାଡ଼ି ହେଉନି

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି କରିଥିଲା, ଯାହାର ଏବେସୁଦ୍ଧା ଭରଣା ହୋଇପାରିନାହିଁ। ବହୁତ କଷ୍ଟରେ କେତେଜଣ ଅଣ୍ଟା ସଳଖି ଛିଡ଼ା ହୋଇଛନ୍ତି। ହେଲେ ଭୁବନେଶ୍ୱରର ଦୈନିକ ହାଟ ଓ ଏହା ସହିତ ଜଡ଼ିତ ବ୍ୟବସାୟୀମାନେ ଫନୀର କୋପରୁ ବର୍ତ୍ତି ନ ଥିଲେ। ଇତିମଧ୍ୟରେ ଫନୀକୁ ମାସେ ପୂରିଛି, ହେଲେ ଏବେବି ହାଟଗୁଡ଼ିକ ସ୍ବାଭାବିକ ହୋଇପାରିନାହିଁ। କାହା ଦୋକାନର ଛପର ଉଡି ଯାଇଥିଲା ତ ଆଉ କାହାର ଦୋକାନ ପାଣିରେ ବୁଡ଼ି ରହିଥିଲା। ଫନୀର କରାଳ କୋପ ଦୈନିକ ହାଟ ବ୍ୟବସାୟୀଙ୍କୁ ଆଜିଯାଏ କଲବଲ କରୁଛି। ବିଭିନ୍ନ ସମସ୍ୟାରେ ଛଟପଟ ହେଉଛନ୍ତି ରାଜଧାନୀର ସର୍ବପୁରାତନ ୧ ନଂ. ହାଟ ବ୍ୟବସାୟୀ। ସେମାନଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳି ନ ଥିବାବେଳେ ହାଟର ପୁନରୁଦ୍ଧାର କରାଯାଇନାହିଁ। ହାଟରେ ଦୋକାନ ଦେଇଥିବା ବ୍ୟବସାୟୀ ଓ ଦୈନିକ ପରିବା ବିକ୍ରି କରୁଥିବା ବ୍ୟବସାୟୀମାନେ ଏବେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନୂତନ ଭାବେ ହାଟ ସଂଘର ନିର୍ବାଚନ ହୋଇଥିବା ବେଳେ ପୁନରୁଦ୍ଧାର ଲାଗି ସଂଘ ପକ୍ଷରୁ କିଛି ବି କାର୍ଯ୍ୟ କରାଯାଇନାହିଁ। ଦୈନିକ ଟିକସ ସଂଗ୍ରହ କରାଯାଉଛି। ହେଲେ ଉନ୍ନତିମୂଳକ କାର୍ଯ୍ୟ କରିବାରେ ହାଟ ସଂଘ ପଛଘୁଞ୍ଚା ଦେଉଛି। ଅନ୍ୟପକ୍ଷେ ହାଟଟି ଭୁବନେଶ୍ୱର (ବିଏମ୍‌ସି) ଦ୍ୱାରା ପରିଚାଳିତ ହେଉଛି। କିନ୍ତୁ ଏ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ କୌଣସି ସାହାଯ୍ୟ ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଇନାହିଁ। ଏପରିକି ହାଟର କ୍ଷୟକ୍ଷତି ସର୍ଭେ କରିବାକୁ ମଧ୍ୟ ବିଏମ୍‌ସି କର୍ମଚାରୀମାନେ ଆସିନାହାନ୍ତି ବୋଲି ଅଭିଯୋଗ ହେଉଛି। ୟୁନିଟ୍‌ ୧ ହାଟର ରୂପ ପରିବର୍ତ୍ତନ କରାଯିବା ଲାଗି କେବଳ ଯୋଜନା ହୋଇଛି ସତ ହେଲେ କିଛି କାର୍ଯ୍ୟକାରୀ ହେଉନାହିଁ। ହାଟରେ ୧୫ ଶହରୁ ଊର୍ଦ୍ଧ୍ୱ ବ୍ୟବସାୟୀ ବ୍ୟବସାୟ କରୁଥିବା ବେଳେ ସେମାନେ ଏବେ ହଇରାଣ ହେଉଛନ୍ତି।
ରିପୋର୍ଟ(ଫଟୋ)- ସ୍ଥିତପ୍ରଜ୍ଞ ମିଶ୍ର