ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଗାମୀ ଦିନରେ ଆହୁରି ଅଧିକ ୟୁନିଟ୍‌ ବନ୍ଦ ହେବାର ଆଶଙ୍କା ଥିବାରୁ ଏହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ଏମ୍‌ସିଏଲ୍‌ର ତାଳଚେରସ୍ଥିତ ଜଗନ୍ନାଥ ଖୋଲା ମୁହଁ କୋଇଲା ଖଣି (ଓସିପି)ରୁ ଉପତ୍ାଦନ ହ୍ରାସ ଯୋଗୁ ଟିଟିପିଏସ୍‌ରେ କୋଇଲା ଅଭାବ ଦେଖାଦେଇଥିବା କୁହାଯାଉଛି। ୪୬୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ବିଶିଷ୍ଟ ଟିଟିପିଏସ୍‌ରେ ୬ ଗୋଟି ୟୁନିଟ୍‌ ରହିଛି। ଏହା ଚାଲିବା ପାଇଁ ଦୈନିକ ୯ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ। କିନ୍ତୁ ଏହି ପରିମାଣର କୋଇଲା ଯୋଗାଣ ହେଉ ନ ଥିବାରୁ ରବିବାରଠାରୁ ପ୍ଲାଣ୍ଟର ୧, ୩ ଓ ୫ ନମ୍ବର ୟୁନିଟ୍‌କୁ ବନ୍ଦ ରଖାଯାଇଛି। ଏଠାରୁ ଉତ୍ପାଦିତ ବିଦ୍ୟୁତ୍‌ର ସିଂହଭାଗ ଓଡ଼ିଶାକୁ ମିଳିଥାଏ। ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିରୁ ଦୈନିକ ୬ ହଜାର ମେଟ୍ରିକ ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ହୋଇଥାଏ। କିନ୍ତୁ ବର୍ତ୍ତମାନ ଜଗନ୍ନାଥ ଓସିପିରେ କୋଇଲା ଖନନ ନିମନ୍ତେ ଆବଶ୍ୟକୀୟ ଜାଗା ଉପଲବ୍ଧ ନ ଥିବାରୁ ଦୈନିକ ୩ ହଜାରରୁ ସାଢେ ୩ ହଜାର ମେଟ୍ରିକ ଟନ୍‌ କୋଇଲା ଉପତ୍ାଦନ ହେଉଛି।
ଗତ ଶୁକ୍ରବାର ୨୪ଶହ ଟନ୍‌ କୋଇଲା ଉପତ୍ାଦନ ହୋଇଥିଲା। ଷ୍ଟକ୍‌ ୟାର୍ଡରେ କୋଇଲା ନ ଥିବା ବେଳେ ଏବେ ଦିନକୁ ମାତ୍ର ଦୈନିକ ୩ ହଜାର ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ସମ୍ଭବ ହୋଇପାରୁଛି। ଜଗନ୍ନାଥ ଖଣି ପାଇଁ ରାକସ ଗ୍ରାମକୁ ଅଧିଗ୍ରହଣ କରାଯାଇ ସମସ୍ତ କ୍ଷତିପୂରଣ ପ୍ରଦାନ ସହ ନାତିଡ଼ିଠାରେ ଗ୍ରାମବାସୀଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଗ୍ରାମବାସୀ ନାଲି ପତାକା ମାରି ଜାଗା ଛାଡ଼ୁନାହାନ୍ତି। ଫଳରେ ଖଣି କାର୍ଯ୍ୟ ଆଗେଇପାରୁ ନାହିଁ। ଆବଶ୍ୟକ ପରିମାଣର କୋଇଲା ମିଳୁନାହିଁ ଏବଂ ଷ୍ଟକ୍‌ ୟାର୍ଡରେ କୋଇଲା କମ୍‌ ରହିଥିବାରୁ ୩ ଗୋଟି ୟୁନିଟ୍‌ ବନ୍ଦ କରାଯାଇଛି ବୋଲି ଟିଟିପିଏସ୍‌ର ଜୈନିକ ଅଧିକାରୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଗନ୍ନାଥ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଏସ.କେ. ଚୌଧୁରୀ କହିଛନ୍ତି, ଜମି ଅଭାବରୁ ଏବେ ଦିନକୁ ୩ ହଜାରରୁ ସାଢେ ୩ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଉତ୍ପାଦନ ହେଉଛି। ଏହାକୁ ଟିଟିପିଏସ୍‌କୁ ଯୋଗାଇ ଦିଆଯାଉଛି।