Categories: ଖେଳ

ମିଳିଲାନି ସୁଯୋଗ, ସ୍ବଦେଶ ଫେରିଲେ କୁଳଦୀପ

ନୂଆଦିଲ୍ଲୀ,୨୭।୯: ବାମହାତୀ ସ୍ପିନର କୁଳଦୀପ ଯାଦବଙ୍କ ପାଇଁ କିଛି ବି ଠିକ୍‌ ଚାଲୁନାହିଁ। ଫର୍ମ ହରାଇବା ପର ଠାରୁ ତାଙ୍କୁ ଜାତୀୟ ଦଳ କଥା ଛାଡ଼ନ୍ତୁ, କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳରେ ମଧ୍ୟ ସ୍ଥାନ ମିଳୁନାହିଁ। ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜର ଏପର୍ଯ୍ୟନ୍ତ ସୁଯୋଗ ପାଇ ନ ଥିବା କୁଲଦୀପ ୟୁଏଇ ଛାଡ଼ି ସ୍ବଦେଶ ଫେରିଛନ୍ତି। ତେବେ ଏହା ପଛରେ ଗୁରୁତର ଆହତ ସମସ୍ୟା ରହିଥିବା ଜଣାପଡ଼ିଛି।

ଆଣ୍ଠୁ ଜିନତ ଆହତ ସମସ୍ୟା କାରଣରୁ ପରବର୍ତ୍ତୀ ଆଇପିଏଲ ମ୍ୟାଚ୍‌ ସମେତ ପ୍ରାୟତଃ ଘରୋଇ କ୍ରିକେଟ ସିଜନରେ ସେ ଖେଳିପାରିବେ ନାହିଁ। ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ଫେରିବା ପୂର୍ବରୁ କୁଲଦୀପଙ୍କୁ ଲମ୍ବା ରେହାବିଲିଟେଶନ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିବ।

ୟୁଏଇରେ ଅଭ୍ୟାସ ସେସନ ବେଳେ କୁଲଦୀପଙ୍କ ଆଣ୍ଠୁ ମୋଡ଼ି ହୋଇଯାଇଥିଲା। ତାଙ୍କ ଆହତ ସମସ୍ୟାର ସ୍ଥିତି ଏତେ ଖରାପ ଯେ, ଆଇପିଏଲର ପରବର୍ତ୍ତୀ ମ୍ୟାଚ୍‌ରେ ଭାଗ ନେଇପାରିବେ ନାହିଁ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜାତୀୟ ଦଳକୁ ଫେରିବାର ୪ରୁ ୬ ମାସ ପୂର୍ବରୁ କୁଲଦୀପ ମୁମ୍ବାଇରେ ଏକ ଅସ୍ତ୍ରୋପଚାର କରାଇଥିଲେ।

Share