ମିଳିଲାନି ଆମ୍ବୁଲାନ୍ସ, ଚାଲିଗଲା ନାବାଳିକାଙ୍କ ଜୀବନ

ଘସିପୁରା, ୧୮।୧୨ (ଡି.ଏନ.ଏ.)-ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଆମ୍ବୁଲାନ୍ସ ନ ଆସିବାରୁ ମଙ୍ଗଳବାର ଜଣେ ଗରିବ ଆଦିବାସୀ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ନାବାଳିକା ଜଣକ ହେଲେ ଘସିପୁରା ଥାନା ରେକୁଟିଆ ଗ୍ରାମର ଇନ୍ଦ୍ରମଣୀ ଦେହୁରୀଙ୍କ ଝିଅ ରଚନା ଦେହୁରୀ (୧୧)। ନାବାଳିକା ଜଣଙ୍କ ବାତ ରୋଗରେ ଆକ୍ରାନ୍ତ ହୋଇ ଉପଖଣ୍ଡ ଡାକ୍ତରଖାନାର ମାତୃଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ। ତେବେ କଟକ ସ୍ଥାନାନ୍ତର ପାଇଁ ତାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ଆମ୍ବୁଲାନ୍ସକୁ ଫୋନ କରି ପ୍ରାୟ ତିନି ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ନାବାଳିକା ଜଣକ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନାନୁଯାୟୀ, ଇନ୍ଦ୍ରମଣୀ ନିଜ ଝିଅ ରଚନାକୁ ବାତ ମାରିବାରୁ ସକାଳୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ବତନ୍ତ୍ର ମାତୃ ଶିଶୁ ବିଭାଗରେ ରଚନାଙ୍କୁ ଶିଶୁ ବିଶେଷଜ୍ଞ ଜଣେ ଡାକ୍ତର ଚିକିତ୍ସା କରିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ରଚନାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର ପାଇଁ ଲେଖିଥିଲେ। ଏହାପରେ ସକାଳ ପ୍ରାୟ ୯ଟା ସମୟରେ ଚାରି ଥର ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଫୋନ ଯୋଗେ ଯୋଗାଯୋଗ କରାଇଯାଇଥିଲା। କିନ୍ତୁ ଦୀର୍ଘ ତିନି ଘଣ୍ଟାର ଅପେକ୍ଷା ସତ୍ତ୍ୱେ ଆମ୍ବୁଲାନ୍ସ ଆସି ନଥିଲା। ଇନ୍ଦ୍ରମଣୀ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥ ଅଭାବରୁ ଘରୋଇ ଆମ୍ବୁଲାନ୍ସ ଯୋଗେ ଝିଅକୁ କଟକ ସ୍ଥାନାନ୍ତର ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ରଚନାଙ୍କ ମୃତ୍ୟୁ ହୋଇଛି।