ମିଲ୍‌ ପରେ ଏବେ ସୁଗମ ଯୋଜନା: ଚାଲି ଚାଲି ଯାଉଥିବା ଅନ୍ୟ ଜିଲାର ଶ୍ରମିକଙ୍କୁ ବସ୍‌ରେ ଘରକୁ ପଠାଉଛି ଗଞ୍ଜାମ ପ୍ରଶାସନ

ଛତ୍ରପୁର, ୧୫।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂର୍ବରୁ ଆରମ୍ଭ ହୋଇଥିବା ମିଲ୍‌ ଯୋଜନା ସହ ଏବେ ସୁଗମ ଯୋଜନା ଯୋଡି ହୋଇଯାଇଛି। ମିଲ୍‌ ଯୋଜନାରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଶୁଖିଲା ଖାଦ୍ୟ ପ୍ୟାକେଟକୁ ଲୋକେ ଦାନ କରୁଛନ୍ତି। ପରେ ଗରୀବ ପରିବାରଙ୍କୁ ଏହି ଖାଦ୍ୟ ପ୍ୟାକେଟ କୋଭିଡ୍‌ ସେଲ ପକ୍ଷରୁ ବଣ୍ଟନ କରାଯାଉଛି । ଏବେ ସୁଗମ ଯୋଜନାରେ ଓଡିଶାର ଅନ୍ୟ ଜିଲା କିମ୍ବା ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲାଦେଇ ୁ ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ଏହି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଥିବା ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟକରି ସୂଚନା ଦେଇଛନ୍ତି। ଏଥିପାଇଁ ସମସ୍ତେ ସହାୟତାର ହାତ ବଢ଼ାଇବାକୁ ଜିଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ମିଲ୍‌ କାର୍ଯ୍ୟକ୍ରମ ସହ ସୁଗମ ଯୋଜନାରେ ଲକ୍‌ଡାଉନ ସମୟରେ ଅନ୍ୟ ଜିଲାର ଶ୍ରମିକଙ୍କୁ ଖାଦ୍ୟର ବ୍ୟବସ୍ଥା ସହ ସେମାନଙ୍କୁ ନିଜ ନିଜ ଜିଲାରେ ଥିବା ଘରକୁ ବସ୍‌ ଯୋଗେ ପଠାଯାଉଥିବା ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଟୁଇଟ୍‌କରି ସୂଚନା ଦେଇଛନ୍ତି।