ମିଲରଙ୍କଠାରୁ ଚାଉଳ ସଂଗ୍ରହରେ ମୁନମୁଖି କାର୍ଯ୍ୟ: ତଦନ୍ତ ନିର୍ଦ୍ଦେଶ ଦେଲେ ସିସିଆଇ

କଟକ ଅଫିସ, ୨୩ା୧୧: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ମନମୁଖି କାର୍ଯ୍ୟର ତଦନ୍ତ ପାଇଁ କମ୍ପିଟେଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ଏହାର ଡାଇରେକ୍ଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କମିଶନ ଉଭୟ ବିଭାଗ ଏବଂ ନିଗମକୁ ନୋଟିସ କରିଛନ୍ତି।
୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ଖରିଫ ଏବଂ ରବି ଋତୁରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଚାଷୀମାନଙ୍କଠାରୁ ଧାନ କ୍ରୟ ଏହାକୁ ପ୍ରୋସେସିଂ ଓ ମହଜୁଦ୍‌ ରଖିବା ନିମନ୍ତେ ମିଲରମାନଙ୍କୁ ନିଯୁକ୍ତ କରିଥିଲା। ପରବର୍ତ୍ତୀ ସମୟରେ ମିଲରମାନେ ନେଇଥିବା ଧାନକୁ ଚାଉଳ କରି ଫେରସ୍ତ ଦେବା କଥା। ମାତ୍ର ନିଗମ ମିଲରମାନଙ୍କଠାରୁ ଖାମଖିଆଲି ଭାବେ ଚାଉଳ ସଂଗ୍ରହ କରିଥିଲା। ଯେଉଁ ମିଲରଙ୍କଠାରୁ ଯେତିକି ଚାଉଳ ଉଠାଇବା କଥା ନିଗମ ସେତିକି ଚାଉଳ ଉଠାଇ ନ ଥିଲା। ଫଳରେ ଅନେକ ମିଲର ଷ୍ଟୋରେଜ ଏବଂ ପ୍ରୋସେସିଂ ବାବଦରେ କ୍ଷତି ସହିଥିଲେ। ଏହା ପରବର୍ଷ ଧାନ କ୍ରୟ ସମୟରେ ଅନେକ ମିଲରଙ୍କୁ ପୂର୍ବ ବର୍ଷର ଚାଉଳ ଦେଇ ନ ଥିବାରୁ ସେମାନଙ୍କୁ ଖିଲାପି ଦର୍ଶାଇ ଆଉ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇ ନ ଥିଲା। ଚାଉଳ ନେବା ପରେ ନିଗମ ମିଲରମାନଙ୍କୁ ଠିକ୍‌ ସମୟରେ ଟଙ୍କା ପ୍ରଦାନ କରି ନ ଥିଲା। ଅନ୍ୟପକ୍ଷରେ ମିଲରମାନଙ୍କ ପାଖରେ ଗଚ୍ଛିତ ଧାନ ଓ ଚାଉଳର ବୀମା ନିଗମ ପକ୍ଷରୁ କରାଯାଉଥିବାବେଳେ ଏହାର ପ୍ରିମିୟମ ଅର୍ଥ ମିଲରମାନଙ୍କଠାରୁ ଆଦାୟ କରାଯାଉଛି। ହେଲେ ମିଲରମାନଙ୍କ କ୍ଷତି ଘଟିଲେ ଠିକ୍‌ ଭାବେ ଭରଣା କରାଯାଉ ନ ଥିବା ଅଭିଯୋଗ ହୋଇଛି। ସମ୍ବଲପୁରର ମା’ ମେଟକାନୀ ରାଇସ୍‌ ମିଲ ଉପରୋକ୍ତ ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ ନ୍ୟାୟ ପାଇଁ କମ୍ପିଟେଶନ କମିଶନ ଅଫ୍‌ ଇଣ୍ଡିଆଙ୍କ ଦ୍ୱାରସ୍ଥ ହୋଇଥିଲା। ଅଭିଯୋଗକାରୀଙ୍କ ତରଫରୁ ଆଇନଜୀବୀ ପ୍ରଭୁପ୍ରସନ୍ନ ବେହେରା ଏବଂ ଅଭିଷେକ ଚୌଧୁରୀ ଏହି ମାମଲା ରୁଜୁ କରିଥିଲେ। ମାମଲାକୁ ଗମ୍ଭୀରତାର ଗହଣ କରି କମିଶନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।