ମା’ ମଙ୍ଗଳାଙ୍କ ମନ୍ଦିର ହୁଣ୍ଡି ଖୋଲିଲା: ୯ଲକ୍ଷ ୬୮ହଜାର ୨୪୬ଟଙ୍କା ମିଳିଲା

କାକଟପୁର,୨୯ା୬(ଡି.ଏନ୍‌.ଏ.): କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ଥିବା ଦାନହୁଣ୍ଡିକୁ ମନ୍ଦିର ଟ୍ରଷ୍ଟି ତଥା କାକଟପୁର ତହସିଲଦାର ରୋଜିନା ଦାସଙ୍କ ତତ୍ତ୍ୱାବଧାନରେ ମନ୍ଦିର କାର୍ଯ୍ୟାଳୟ ମଧ୍ୟରେ ଶୁକ୍ରବାର ଖୋଲାଯାଇଥିଲା। ହୁଣ୍ଡିରୁ ୯ଲକ୍ଷ ୬୮ହଜାର ୨୪୬ ଟଙ୍କା ବାହାରିଥିଲା। ସମସ୍ତ ଟଙ୍କାକୁ ସ୍ଥାନୀୟ ଏକ ବ୍ୟାଙ୍କ ଶାଖାର ପରିଚାଳକଙ୍କୁ ହସ୍ତାନ୍ତର କରାଯାଇଥିଲା। ୧ଲକ୍ଷ ୭୦ହଜାର ଟଙ୍କାର ୫ ଓ ୧୦ଟଙ୍କିଆ କଏନ ରହିଛି। ସମୟ ଅଭାବରୁ ୪ବସ୍ତା ୧ ଓ ୨ଟଙ୍କିଆ କଏନ ଗଣାଯାଇପାରିନାହିଁ। ଏହାକୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତୀକ ପଟ୍ଟନାୟକଙ୍କ ହେପାଜତରେ ରଖାଯାଇଛି। ସମୟ ଦେଖି ଏହାକୁ ଗଣାଯାଇ ବ୍ୟାଙ୍କରେ ଜମା କରାଯିବ ବୋଲି ତହସିଲଦାର କହିଛନ୍ତି। ମନ୍ଦିର କାର୍ଯ୍ୟାଳୟଠାରେ କାକଟପୁର ଥାନା ଆଇଆଇସି ସୁମତି ମହାନ୍ତି, ମା’ଙ୍କ ସେବକ ମନୋରଞ୍ଜନ ପଣ୍ଡା, ତୁଷାର ଦୀକ୍ଷିତ, ସର୍ବେଶ୍ୱର ପାଢୀ, ପ୍ରଦୀପ୍ତ ପଣ୍ଡା, ବ୍ୟାଙ୍କ ଶାଖା ପରିଚାଳକ ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।