ମା’ ତାରିଣୀ ଇଷ୍ଟକନ୍‌ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ ଅଫିସ, ୨୮।୧: ଚିଟ୍‌ଫଣ୍ଡ ସଂସ୍ଥା ମା’ ତାରିଣୀ ଇଷ୍ଟକନ୍‌ ପ୍ରାଇଭେଟ ଲିମିଟେଡ୍‌ର ଜବତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ। ପରେ ଉକ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ ଡକାଯାଇ ବିକ୍ରି କରାଯିବ। ଏଥିରୁ ଯେଉଁ ଅର୍ଥ ମିଳିବ ତାହାକୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ଚିଟ୍‌ଫଣ୍ଡ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ଅଦାଲତ ଆଦେଶ ଦେଇଛନ୍ତି। ତାରିଣୀ ଇଷ୍ଟକନ୍‌କୁ ମିଶାଇଲେ ମୋଟ୍‌ ୧୭ଟି ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ସ୍ବତନ୍ତ୍ର ଅଦାଲତ ଇତିମଧ୍ୟରେ ଆଦେଶ ଦେଇଛନ୍ତି।
ସୂଚନାଥାଉ କି, ଲୋକଙ୍କୁ ଭୁବନେଶ୍ୱରରେ ହାଉସିଂ ପ୍ରୋଜେକ୍ଟରେ ଘର ଓ ଜମି ଯୋଗାଇଦେବାକୁ କହି ଉକ୍ତ ସଂସ୍ଥା ବହୁ କୋଟି ଟଙ୍କା ଠକି ନେଇଥିଲା। ଏ ନେଇ ସଂସ୍ଥା ବିରୋଧରେ ଲୋକେ ଶହୀଦନଗର ଥାନାରେ ଏତଲା ଦେବା ପରେ ପୋଲିସ ଉକ୍ତ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ରଣାଙ୍କୁ ୨୦୧୬ ଜୁନ୍‌ ମାସରେ ଗିରଫ କରିଥିଲା। ସଂସ୍ଥାର ୪୨ ଏକର ଜମି ଓ ଆକାଉଣ୍ଟରେ ଥିବା ୫୧ ଲକ୍ଷ ଟଙ୍କା ସହିତ କେତେକ ଗାଡ଼ିକୁ ପୋଲିସ ଜବତ କରିଥିଲା। ମୋଟାମୋଟି ଭାବେ ସଂସ୍ଥାର ୧ କୋଟି ୧୫ ଲକ୍ଷ ୧୩ହଜାର ୩୧୮ ଟଙ୍କାର ସମ୍ପତ୍ତିକୁ ପୋଲିସ ଜବତ କରିଥିଲା। ଏହାପରେ ସଂସ୍ଥାର ସମ୍ପତ୍ତିକୁ ଓପିଆଇଡି ଆଇନ ଅନୁଯାୟୀ, ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଆଟାଚମେଣ୍ଟ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ।