ମା’ ଗୁଣେ ଝିଅ

ଡା. ଶୁଭଶ୍ରୀ ମିଶ୍ର

କୁହାଯାଏ- ଝିଅମାନେ ବାପାଙ୍କର ବେଶି ପ୍ରିୟ, ଆଉ ପୁଅମାନେ ମା’ଙ୍କର ବେଶି ପ୍ରିୟ। ଏହା ତ ନିଶ୍ଚିତ ଭାବରେ ଠିକ୍‌ କଥା। କିନ୍ତୁ ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିରଖିବା ଉଚିତ, ଝିଅମାନେ ମା’ଙ୍କଠାରୁ ଅନେକ କଥା ଶିକ୍ଷା କରିଥାନ୍ତି। ଏହା ସେମାନଙ୍କର ଜନ୍ମଗତ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଶିଖାଇବା ପୂର୍ବରୁ ଝିଅମାନେ ମା’ମାନଙ୍କର ଅନେକ କଥାକୁ ନିଜ ଭିତରେ ଗ୍ରହଣ କରିନେଇଥାନ୍ତି। ବିଶେଷକରି, ନାରୀସୁଲଭ ଗୁଣଗୁଡ଼ିକୁ ସେମାନେ ସମସ୍ତଙ୍କ ଅଜାଣତରେ ତଥା ବିନା ଶିକ୍ଷାରେ ଗ୍ରହଣ କରିନେଇଥାନ୍ତି। ସେହିଭଳି ସନ୍ତାନର ଲାଳନପାଳନ ଗୁଣଟିକୁ ସେମାନେ କେବେ ବି ମା’ଙ୍କ ପାଖରେ ସୀମିତ ହୋଇ ରହିବାକୁ ଦିଅନ୍ତି ନାହିଁ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଝିଅଟିଏ ଯେତେବେଳେ ବୟସ ପ୍ରାପ୍ତ ହୋଇଯାଏ ସେତେବେଳେ ସେ ତା ମନକୁ ମନ ମା’ଙ୍କ ଠାରୁ ସବୁକଥା ଶିଖିବାକୁ ଆରମ୍ଭକରେ। ସେହିଭଳି ଅନେକ କିଛି ଗୁଣ ତା’ ନିଜ ଭିତରେ ଥାଏ, ଯାହା ବୟସର କ୍ରମାନ୍ବୟରେ ସେସବୁ ତା’ ନିକଟରେ ଆତ୍ମପ୍ରକାଶ କରେ। ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ହେଉଛି ମାନବୀୟ ବ୍ୟବହାର (ବିଶେଷକରି ନାରୀଙ୍କ କ୍ଷେତ୍ରରେ)ର ଏକ ସିକ୍ରେଟ୍‌।
ନାରୀମାନଙ୍କୁ ସାଧାରଣତଃ ରହସ୍ୟମୟୀ ବୋଲି କୁହାଯାଇଥାଏ। କିନ୍ତୁ ବାସ୍ତବରେ ଠିକ୍‌ କି ଭୁଲ୍‌ ତାହା ଗବେଷଣାସାପେକ୍ଷ। ତେବେ ସେମାନଙ୍କ ଗୁଣାବଳୀରେ ଅନେକ ରହସ୍ୟ ଖୁନ୍ଦିରୁନ୍ଧି ହୋଇ ରହିଛି ବୋଲି ବହୁ ପ୍ରମାଣିତ। ଏହି ତଥ୍ୟକୁ ଆଧାର କରି ଆମେରିକାର ଓହାୟୋ ଷ୍ଟେଟ୍‌ ୟୁନିଭର୍ସିଟି ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ଷ୍ଟେଟ୍‌ ୟୁନିଭର୍ସିଟିର ଏକ୍ସପର୍ଟମାନେ ଏହି ଗବେଷଣାକୁ ଫଳପ୍ରଦ କରିବା ପାଇଁ ଦୁଇ ଜେନେରେଶନର ମହିଳାଙ୍କୁ ସାମିଲ କରିଥିଲେ। ଏହାବ୍ୟତୀତ ସେହି ମହିଳାମାନଙ୍କର ବିଭିନ୍ନ ବୟସର ପିଲା, ବିଶେଷକରି ଝିଅମାନଙ୍କୁ ସାମିଲ କରିଥିଲେ। ଏକାଧିକ ବର୍ଷଧରି ଗବେଷଣା କରାଯାଇଥିଲା। ଦେଖାଯାଇଥିଲା ଯେ, ଝିଅମାନେ ସିଧାସଳଖ ମା’ଙ୍କର ଗୁଣାବଳୀକୁ ଗ୍ରହଣ କରି ନେଉଛନ୍ତି, ଯାହା ପୁଅମାନଙ୍କ କ୍ଷେତ୍ରରେ ହେଉନାହିଁ। ସେହିଭଳି ଗବେଷକମାନେ ମା’ମାନଙ୍କୁ ଅନେକ କାମ କରାଇଥିଲେ ଆଉ ଝିଅମାନଙ୍କ କ୍ଷେତ୍ରରେ ତାହାର କିଭଳି ପ୍ରଭାବ ପଡ଼ୁଛି, ସେକଥା ଦେଖିବାର ପ୍ରୟାସ କରିଥିଲେ। ଶେଷରେ ସେମାନଙ୍କର ଧାରଣା ସତ୍ୟ ପ୍ରତିପାଦିତ ହୋଇଥିଲା।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥିପାଇଁ ଜିନ୍‌କୁ ହିଁ ଦାୟୀ କରାଯାଇପାରିବ। କାରଣ ଜିନ୍‌ର ପ୍ରଭାବ ସମଲିଙ୍ଗୀଙ୍କ ଉପରେ ସର୍ବାଧିକ ପଡ଼ିଥାଏ। ବାୟୋଲୋଜିକାଲ ବିଶ୍ଳେଷଣରୁ ଜଣାପଡ଼େ ଯେ, ମହିଳାଙ୍କ ନିକଟରେ ସମଗୁଣର ଦୁଇଟି ଜିନ୍‌ ଥାଏ, ଯାହାକୁ ପ୍ରାଣୀବିଜ୍ଞାନୀମାନେ ଇଂଲିଶ୍‌ର ‘ଏକ୍ସ’ ଅକ୍ଷର ବୋଲି ନାମିତ କରିଥାନ୍ତି। ଅର୍ଥାତ୍‌ ଏକ୍ସ ଏକ୍ସ। ସେହି ଅନୁଯାୟୀ ଦୁଇ ମହିଳାଙ୍କ ମଧ୍ୟରେ ଅନେକ ମାନସିକ ସାମଞ୍ଜସ୍ୟ ମିଳିପାରିଥାଏ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ମା’ଠାରୁ ଜିନ୍‌ ବାଟଦେଇ ଝିଅ ନିକଟକୁ ଅନେକ ଗୁଣ ଆସିବା ସ୍ବାଭାବିକ। ଏହାକୁ ଆମେ ସାଧାରଣତଃ ‘ସହଜାତ ଗୁଣ’ ବୋଲି କହିଥାଉ। ଏହି ସହଜାତ ଗୁଣଗୁଡ଼ିକ ବୟସର କ୍ରମାନୁସାରେ ଆପଣାଛାଏଁ ଜଣକ ନିକଟରେ ଆତ୍ମ ପ୍ରକାଶ ହୋଇଥାଏ। ସେଥିପାଇଁ ଗ୍ରାମାଞ୍ଚଳରେ ବେଳେବେଳେ କୁହାଯାଏ – ମା’ ଗୁଣେ ଝିଅ, ବାପ ଗୁଣେ ପୁଅ। ଅବଶ୍ୟ ଅନେକ କ୍ଷେତ୍ରରେ ଏହାର ବିରୋଧାଭାସ ଦେଖାଯାଏ। ଅର୍ଥାତ୍‌ ଝିଅଟିଏ ନିକଟରେ ମା’ର ସବୁ ଗୁଣ ପ୍ରକଟିତ ହୋଇ ନ ପାରେ। କିନ୍ତୁ ଭଲ ଭାବରେ ଧ୍ୟାନଦେଲେ ଅନେକ କ୍ଷେତ୍ରରେ ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ। ମା’ଙ୍କଠୁ ଝିଅ ଶିଖିବାର ଗୁଣଟି ପିଢ଼ି କ୍ରମରେ ପୁନରାବୃତ୍ତି ହୋଇଥାଏ। ଏହା ପୁନରାବୃତ୍ତି ହୋଇଥାଏ – ଅର୍ଥାତ୍‌ ମା’ଠୁ ଝିଅ ପାଖକୁ ଯେଉଁଗୁଣ ଆସିଥାଏ ସେହି ଗୁଣଟିକୁ ମା’ ତାଙ୍କର ମା’ଠାରୁ ହିଁ ଶିଖିଥାନ୍ତି। ଠିକ୍‌ ସେହିଭଳି ଝିଅଟିଏ ତା’ ମା’ଠାରୁ ଯେଉଁଗୁଣ ଶିଖିଥାଏ ବା ହାସଲ କରିଥାଏ ସେହିଗୁଣକୁ ତା’ର ଝିଅ ତା’ଠାରୁ ଗ୍ରହଣ କରିନେଇଥାଏ। ଏହା ଏକ ଜୈବିକ ବାଧାପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ। ଜିନ୍‌ର ଏହି ପ୍ରକ୍ରିୟା କେବେ ବି ବାଧାପ୍ରାପ୍ତ ହୋଇ ନ ଥାଏ। ଏକାଧିକ ଝିଅ ଥିଲେ ହୁଏତ ସମସ୍ତଙ୍କ ନିକଟକୁ ମା’ର ଗୁଣଟି ସଞ୍ଚରିତ ହୋଇଯାଏ। ମା’ ଏବଂ ଝିଅଙ୍କ ମଧ୍ୟରେ ଏଭଳି ଜିନ୍‌ଗତ ବୁଝାମଣା ରହିଥିବା ବେଳେ ବାପ ଏବଂ ପୁଅଙ୍କ ମଧ୍ୟରେ ବି କିଛି ପରିମାଣରେ ଜିନ୍‌ଗତ ବୁଝାମଣା ରହିଥିବା ଅନୁମାନ କରାଯାଏ। ତେବେ ଏହାକୁ ନେଇ ଅଧ୍ୟୟନ କିମ୍ବା ଗବେଷଣା ହୋଇନାହିଁ। କିନ୍ତୁ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ, ବାପାର ଅନେକ ଗୁଣ ପୁଅ କ୍ଷେତ୍ରରେ ପ୍ରତିଫଳିତ ହୋଇଥାଏ। ତେବେ ପୁଅଟିଏ ପ୍ରାପ୍ତବୟସ୍କ ହେବା ପରେ ହିଁ ତା’ ନିକଟରେ ବାପାଙ୍କର କିଛି ଗୁଣ ଠାବ କରାଯାଇପାରେ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ
ମୋ: ୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri