ମାହାଙ୍ଗା ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): କଟକ ପୂର୍ତ୍ତ ଡିଭିଜନ-୨ ଅନ୍ତର୍ଗତ ସାଲେପୁର ସବ୍‌ଡିଭିଜନର ମାହାଙ୍ଗା ସେକ୍ସନରେ ହୋଇଥିବା ରାସ୍ତା ନିର୍ମାଣ ଟେଣ୍ଡର ଦୁର୍ନୀତିର ତଦନ୍ତ କରିବାକୁ ଲୋକାୟୁକ୍ତ ବୁଧବାର ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ଉକ୍ତ ସେକ୍ସନରେ ବିଭିନ୍ନ ରାସ୍ତା ନିର୍ମାଣ ପାଇଁ ହୋଇଥିବା ଟେଣ୍ଡରରେ ୭,୭୯,୩୬,୦୨୭ ଟଙ୍କାର ଅର୍ଥ ତୋସରପାତ ହୋଇଥିବା ଅଭିଯୋଗ ହୋଇଥିଲା। କେଉଁ ପରିସ୍ଥିତିରେ ବିନା ଟେଣ୍ଡରରେ ଏତେ ଟଙ୍କାର କାର୍ଯ୍ୟାଦେଶ ଦିଆଗଲା ତାହା ଜଣାଇବାକୁ କଟକ ଆର ଆଣ୍ଡ ବି ଡିଭିଜନ-୨ର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଏଥିସହିତ ଏହି ଘଟଣା ପାଇଁ ପୂର୍ତ୍ତ ବିଭାଗର ମନ୍ତ୍ରୀଙ୍କୁ ମଧ୍ୟ ଲୋକାୟୁକ୍ତ ନୋଟିସ ଜାରି କରିଥିଲେ। ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଜଣାଇଥିଲେ ଯେ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ମାହାଙ୍ଗା ସେକ୍ସନରେ ହୋଇଥିବା ଟେଣ୍ଡର କେତେକ କ୍ଷେତ୍ରରେ ଅଧିକ ଟଙ୍କାର ଟେଣ୍ଡରକୁ ୫ ଲକ୍ଷରୁ କମ ଟଙ୍କାରେ ଭାଗ କରାଯାଇଥିଲା। ଏ ନେଇ କୌଣସି ବିଜ୍ଞାପନ ଦିଆଯାଇ ନ ଥିଲା। ବିଭାଗୀୟ ମନ୍ତ୍ରୀ ମଧ୍ୟ ଜଣାଇଥିଲେ ଯେ ଏହି ଘଟଣା ଜଣାପଡିବା ପରେ ପୂର୍ତ୍ତ ସଚିବଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୯ ନଭେମ୍ବର ୨୦ ତାରିଖରେ ଘଟଣାର ତଦନ୍ତ କରାଯାଇଥିଲା। ମୁଖ୍ୟ ଯନ୍ତ୍ରୀ (ଡିପିଆଇ ଆଣ୍ଡ ରୋଡ୍‌ସ) ଏବଂ ପ୍ରଧାନ ଯନ୍ତ୍ରୀ ତାଙ୍କ ରିପୋର୍ଟରେ ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ଘଟଣାରେ ସତ୍ୟତା ଥିବା ଜଣାଇଥିଲେ। ତଦନ୍ତ ରିପୋର୍ଟରେ ଯେ କେବଳ ରାସ୍ତା ନିର୍ମାଣ ଅର୍ଥ ହଡପ ହୋଇ ନ ଥିଲା ରାସ୍ତାର ମାନ ଅତ୍ୟନ୍ତ ନିମ୍ନମାନର ଥିଲା ବୋଲି ଜଣାପଡିଛି। ତେବେ ଅନିୟମିତତାରେ ସାମିଲ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ରୁଜୁ ହୋଇ ନାହିଁ। ଓଡିଶା ଲୋକାୟୁକ୍ତ ଆଇନର ସେକ୍ସନ-୨୦(୬) ଅନୁଯାୟୀ ଲୋକାୟୁକ୍ତ ଅଧ୍ୟକ୍ଷ ଏହି ଘଟଣାର ତଦନ୍ତ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ୬ ମାସ ମଧ୍ୟରେ ଶେଷ କରି ଏ ସମ୍ପର୍କିତ ସମସ୍ତ କାଗଜପତ୍ର ସିଲ୍‌ କଭର ମଧ୍ୟରେ ଲୋକାୟୁୂକ୍ତଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।