ମାସ୍କ, ହ୍ୟାଣ୍ଡ୍‌ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଘୋଷିତ, ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରର ଜରୁରୀ ଆବଶ୍ୟକତା ରହିଛି। ଏପରିସ୍ଥଳେ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‌ ୧୯୫୫ ଅନୁଯାୟୀ ମାସ୍କ (୨ପ୍ଲାଇ ଏବଂ ୩ପ୍ଲାଇ), ସର୍ଜିକାଲ ମାସ୍କ, ଏନ୍‌-୯୫ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଅନ୍ତର୍ଭୁକ୍ତ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିବାର ସମସ୍ତ ଜିଲାପାଳଙ୍କୁ ଅବଗତ କରାଯିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେପରି ଆବଶ୍ୟକ ପରିମାଣର ଉପଲବ୍ଧ ରହିବ ସେଥିପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଏଥିସହ କଳାବଜାର ରୋକିବାକୁ ଚଢ଼ାଉ ପାଇଁ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରାଯାଇ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜର ଉପଲବ୍ଧତା ଓ ବିତରଣ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପରାମର୍ଶ ଦିଆଯାଇଛି। ସେହିଭଳି ବେଆଇନ ଭାବେ ମହଜୁଦ୍‌ ଓ କଳାବଜାର ଏଡାଇବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ଆସନ୍ତା ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି।