ମାସ୍କ, ପିପିଇ କିଣା ନେଇ ଶ୍ୱେତପତ୍ର ଦିଅନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର,୧୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ରାଜ୍ୟ ସରକାର ମାସ୍କ, ପିପିଇ, ଅନ୍ୟାନ୍ୟ କୋଭିଡ-୧୯ ସଂକ୍ରାନ୍ତୀୟ ଜିନିଷ କେଉଁଠାରୁ କିଣାଯାଇଛି ଏବଂ ଏହାର ଦାମ୍‌ କେତେ ତାହା ପ୍ରକାଶ କରନ୍ତୁ। ସେହିପରି ଏହାର ବ୍ୟବହାର କିପରି ହୋଇଛି ସେନେଇ ମଧ୍ୟ ଏକ ସବିଶେଷ ବୀବରଣୀ ସରକାରଙ୍କୁ ଜଣାଇବା ଲାଗି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମାସ୍କ କିଣାରେ ବ୍ୟାପକ ଦୁର୍ନିତୀ ହୋଇଛି ବୋଲି ବିଭିନ୍ନ ରାଜନୈତିକ ଦଳ ଓ ସମାଜସେବୀ ଅନୁଷ୍ଠାନ ବାରମ୍ବାର ପ୍ରଶ୍ନ ଉଠାଉଛି। ଏ ସମ୍ପର୍କରେ ସରକାର ନିରବ ରହିବା ସାଙ୍ଗକୁ ଲୋକଙ୍କୁ ଉତ୍ତର ନ ଦେବା ଦୁର୍ଭାଗ୍ୟଜନକ। କେଉଁ କାରଣରୁ ୯ଜଣ ଆଇଏଏସ୍‌ ଅଫିସରଙ୍କୁ କୋଭିଡ ଦାୟିତ୍ୱରୁ ଅପସାରଣ କରାଗଲା ତାହା ହିଁ ଏହି ଦୁର୍ନୀତିର ପର୍ଦ୍ଦା ଫାର୍ଶ କରୁଛି। ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଜେନା କହିଛନ୍ତି।