ମାସେ ବିତିଲା, ଏବେବି ଆଇସିୟୁରେ ୬ ଆହତ

ଡେରାବିଶ, ୨୩ା୧୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ ନଭେମ୍ବର ୨୩ରେ ହୋଇଥିବା କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିବାବେଳେ ବାଣ ବିସ୍ଫୋରଣରେ ଶତାଧିକ ଆହତ ହେବା ଘଟଣାକୁ ମାସେ ବିତିଗଲା। ଏହି ବାଣ ବିସ୍ଫୋରଣରେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣ କଟକ ବଡ଼ ମେଡ଼ିକାଲ୍‌ (ଏସ୍‌ବିବି)ର ସର୍ଜିକାଲ୍‌, ବର୍ଣ୍ଣିଂ ୱାର୍ଡ଼, ସେଣ୍ଟାରଲ ଆଇସିୟୁ, ଟ୍ରମା ଆଇସିୟୁ ଓ ବର୍ଣ୍ଣ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅଧିକ ଗୁରୁତର ହୋଇଥିବା ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏ ୨୬ ଆହତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏବେ ବି ଆଇସିୟୁରେ ୬ଜଣ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଉମାକାନ୍ତ ସାହୁ, ପ୍ରାଣକୃଷ୍ଣ ବେଜ, ଏସ୍‌.କେ. ମହିରୁଫ, ହିମାଂଶୁ ବେହେରା, ବଳରାମ ମହାରଣା ଓ ଅକ୍ଷୟ ଦାସ। ତେବେ ଏହି ଘଟଣା ପରେ ସଦର ଥାନାରେ ନଂ. ୪୯୪/୨୨ରେ ମାମଲା ରୁଜୁ କରାଯାଇ ଘଟଣାରେ ସମ୍ପୃକ୍ତ ଥିବା ପୂଜା କମିଟି ଓ ବଜାର ଶାନ୍ତି କମିଟିର କର୍ମକର୍ତ୍ତାଙ୍କୁ ଗିରଫ କରିବାକୁ ପୋଲିସ୍‌ ପକ୍ଷରୁ ଚଢ଼ାଉ ଅଭିଯାନ ଯୋରଦାର କରାଯାଇଥିଲା। ତେବେ ଭାଗବତପୁରର ୩ ଜଣଙ୍କୁ ଗିରଫ କରି ପୋଲିସ୍‌ ଚୁପ ହୋଇ ବସିଛି। ଏହି ଗିରଫ ଭୟରେ ଭାଗବତପୁର ପଞ୍ଚାୟତର ୨ ଦଳିତ ସାହି ପୁରୁଷ ଶୂନ୍ୟ ହୋଇପଡ଼ିଛି। ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଏଯାଏ ପୋଲିସ ଗିରଫ କରିନାହିଁ। ଗୁରୁତର ଆହତଙ୍କୁ କେବଳ ସହାୟତା ରାଶି ପ୍ରଦାନ କରି ଜିଲା ପ୍ରଶାସନ ମଧ୍ୟ ନୀରବ ରହିଛି। ଏଭଳି ଏକ ସମ୍ବେଦନ ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ କେବେ ନ୍ୟାୟ ମିଳିବ ସେ ନେଇ ସେମାନେ ଆଶା ଓ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି।