Categories: ଖେଳ

ମାସିକ ୨୮ ଲକ୍ଷ ଟଙ୍କାର ନିଶା ସେବନ କରୁଥିଲେ ଏହି ଚାମ୍ପିୟନ ଆଥ୍‌ଲେଟ

ସାକ୍ରାମେଣ୍ଟୋ (କାଲିଫର୍ନିଆ/ଆମେରିକା),୧୫।୮: ପୂର୍ବତନ ବିଶ୍ୱ ଚାମ୍ପିୟନ ମାଇକ ଟାଇସନ ରିଙ୍ଗ ଭିତରରେ ଆକ୍ରମଣାତ୍ମକ ଖେଳ ଯୋଗୁ ବହୁ ପରିଚିତ ଥିଲେ। ‘ଦ ବ୍ୟାଡେଷ୍ଟ ମ୍ୟାନ ଅଫ୍‌ ଦ ପ୍ଲାନେଟ’ କୁହାଯାଉଥିବା ହେବିଓ୍ବେଟ ବକ୍ସର କ୍ୟାରିୟରର ବହୁ ବିବାଦ ଓ ସ୍କାଣ୍ଡାଲରେ ସାମିଲ ଥିଲେ। ସେ ଏବେ କାଲିଫର୍ନିଆରେ ଗଞ୍ଜେଇ ବ୍ୟବସାୟରେ ପ୍ରବେଶ କରିଛନ୍ତି। ସେଠାରେ ଗଞ୍ଜେଇ ସେବନ କରିବା ଅପରାଧ ନୁହେଁ। ୫୩ ବର୍ଷୀୟ ପୂର୍ବତନ ତାରକା ବକ୍ସର ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ସର୍ବଦା ନିଶା ସେବନ କରୁଥିଲି। ପ୍ରତ୍ୟେକ ମିନିଟ୍‌ରେ ମୋତେ ଏହା ଦରକାର ପଡ଼ୁଥିଲା। ଏଥିନେଇ ପ୍ରତି ମାସରେ ୪୦ ହଜାର ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଥିଲା। ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୮ ଲକ୍ଷ ଟଙ୍କା। ଉଲ୍ଲେଖଥାଉ କି, ସେ ପ୍ରଥମ ବକ୍ସର ଭାବେ ଏକାଥରକେ ଡବ୍ଲ୍ୟୁବିଏ, ଡବ୍ଲ୍ୟୁବିସି ଓ ଆଇବିଏଫ୍‌ ଟାଇଟଲ ହାତେଇଥିଲେ। ସେ ୨୦ ବର୍ଷ ବୟସରେ ସର୍ବକନିଷ୍ଠ ବକ୍ସର ଭାବେ ହେଭିଓ୍ବେଟ ଚାମ୍ପିୟନ ହୋଇଥିଲେ। ସେ ଜିତିଥିବା ୧୯ ନକ୍‌ଆଉଟ ମଧ୍ୟରୁ ୧୨ଟି ପ୍ରଥମ ରାଉଣ୍ଡରୁ ଜିତିଥିଲେ। ଖେଳୁଥିବାବେଳେ ୨ ହଜାର କୋଟି ଟଙ୍କାର ମାଲିକ ଥିବା ବକ୍ସରଙ୍କ ସମ୍ପତ୍ତିର ମୂଲ୍ୟ ଏବେ ପ୍ରାୟ ୨୨ କୋଟି ଟଙ୍କା।

Share