ମାଲ୍‌ ପରିବହନରେ ବାଧା ହଟାଅ

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ନେଇ ଗୁରୁବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନାର ଠିକ୍‌ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯାଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଟ୍ରକ୍‌ ଦ୍ୱାରା ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ଟ୍ରକ୍‌ ମାଲିକ ସଂଘ ଓ ପରିବହନକାରୀ ସଂସ୍ଥା ଧ୍ୟାନ ଦେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି॥
ଅତ୍ୟାବଶ୍ୟକ ସହ ଅନ୍ୟାନ୍ୟ ସାମଗ୍ରୀ ଟ୍ରକ୍‌ରେ ପରିବହନ ହେଉଥିବା ବେଳେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଥିବା ଲକ୍ଷ୍ମଣନାଥ ଚେକ୍‌ ଗେଟ୍‌ରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଟ୍ରକ୍‌କୁ ଏହି ଗେଟ୍‌ରେ ଅନୁମତି ମିଳୁଛି। କିନ୍ତୁ ଅନ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌କୁ ଛଡ଼ାଯାଉନାହିଁ। ଅନୁଗୋଳରୁ ଅଧିକାଂଶ ଟ୍ରକ୍‌ ଆଲୁମିନିୟମ ନେଇ ଅନ୍ୟ ରାଜ୍ୟକୁ ଯାଆନ୍ତି ଓ ସେଠାରୁ ଅତ୍ୟାବଶ୍ୟକ ସମେତ ଅନ୍ୟାନ୍ୟ ଜିନିଷ ଧରି ଓଡ଼ିଶା ଫେରିଥାନ୍ତି। କିନ୍ତୁ ତାଲା ବନ୍ଦ ଯୋଗୁ ଅନ୍ୟ ରାଜ୍ୟରୁ କୌଣସି ସାମଗ୍ରୀ ଆସିପାରୁନାହିଁ। ଯାହା କିଛି ଆସୁଛି ଉକ୍ତ ଗେଟ୍‌ରେ ତାହାକୁ ପ୍ରବେଶ ଅନୁମତି ମିଳୁନାହିଁ। ସେହିପରି ଓଡ଼ିଶା ବ୍ୟତୀତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଢାବା ଓ ଗ୍ୟାରେଜ ଖୋଲା ରହୁ ନ ଥିବାରୁ ଟ୍ରକ୍‌ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଲକ୍ଷ୍ମଣନାଥ ଚେକ୍‌ଗେଟ୍‌ରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଜିଲାପାଳ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଅନୁଗୋଳ ଜିଲା ଟ୍ରକ୍‌ ମାଲିକ ସଂଘ ସଭାପତି ବିଭୂତି ଭୂଷଣ ଦାସ, ଜିଲା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ଅକ୍ଷୟ କୁମାର ସାମନ୍ତ, ନାଲ୍‌କୋ ଟ୍ରକ୍‌ ମାଲିକ ସଂଘ ସଭାପତି ରାଜୀବ ଜେନାଙ୍କ ସମେତ ବିଭିନ୍ନ ପରିବହନ ସଂସ୍ଥାର କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ।