ମାଲକାନଗିରି, ନବରଙ୍ଗପୁର ଜିଲା କରୋନା ମୁକ୍ତ: ୨୮ଜିଲାରେ ୯୯୦ ସକ୍ରିୟ ରୋଗୀ

ଭୁବନେଶ୍ୱର,୮।୬(ବ୍ୟୁରୋ)-କରୋନା କବଳରେ ସାରା ରାଜ୍ୟ। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢ଼ିବାରେ ଲାଗିଛି, ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ସେହି ମାତ୍ରାରେ ବଢ଼ୁଛି। ତେଣୁ ବିଭିନ୍ନ ଜିଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ରାଜ୍ୟରେ ନୂଆ ୧୩୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସୋମବାର ଆଉ ୯୯ଜଣ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚତ୍ୟାଇଥିବା ବେଳେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୯୯୩କୁ ବୃଦ୍ଧି ପାଇଯାଇଛି। ବର୍ତ୍ତମାନ ୯୯୦ଜଣ ସକ୍ରିୟ ରୋଗୀ ରହିଛନ୍ତି। ସେପଟେ ମାଲକାନଗିରି ଓ ନବରଙ୍ଗପୁର ଜିଲା କରୋନା ମୁକ୍ତ ଜିଲା ହୋଇଯାଇଛି। ମାଲକାନଗିରିରେ ୨୧ଜଣ ଓ ନବରଙ୍ଗପୁରରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇସାରିଛନ୍ତି। ଫଳରେ ବର୍ତ୍ତମାନ ୨୮ଜିଲାରେ ସକ୍ରିୟ ରୋଗୀ ରହିଛନ୍ତି।