ମାର୍ଚ୍ଚ ୨୨, ୨୩ରେ ଗାଁ ସ୍ତରରେ ମିଳିବ ମଧୁବାବୁ ଭତ୍ତା: ମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ଆଗାମୀ ୪ ମାସ ଏପ୍ରିଲ , ମେ, ଜୁନ୍‌ ଓ ଜୁଲାଇ ମାସର ଆଗୁଆ ଦିଆଯିବ। ଜନସମାବେଶକୁ ସୀମିତ ରଖିବା ନିମନ୍ତେ ଏହି ଟଙ୍କାକୁ ହିତାଧିକାରୀଙ୍କୁ ନିଜ ଗ୍ରାମରେ ହିଁ ପ୍ରଦାନ କରାଯିବ। ପଞ୍ଚାୟତ ବଦଳରେ ଏଥର ଗାଁ ସ୍ତରରେ ପେନ୍‌ସନ ମିଳିବ। ମାର୍ଚ୍ଚ ୨୨ ଓ ୨୩ ତାରିଖରେ ଏହା ପ୍ରଦାନ କରାଯିବ। ଏ ନେଇ ଶୁକ୍ରବାର ସାମାଜିକ ସୁରକ୍ଷା ମନ୍ତ୍ରୀ ଆଶୋକ ପଣ୍ଡା ସୂଚନା ଦେଇଛନ୍ତି।