ମାର୍ଚ୍ଚ ସୁଦ୍ଧା ରାଜ୍ୟର ୪୭ ଖଣି ନିଲାମ ହେବ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟ ସରକାରଙ୍କୁ ଖଣି ଚିନ୍ତା ଘାରିଲାଣି। ଆଉ ବର୍ଷକ ମଧ୍ୟରେ ୨୪ଟି ଖଣିର ଲିଜ ଅବଧି ଶେଷ ହୋଇଯିବ। ଶିଳ୍ପଗୁଡ଼ିକୁ କଞ୍ଚାମାଲ ମିଳିବା ନେଇ ସମସ୍ୟା ଦେଖାଦେଇପାରେ। ଖଣି ନିଲାମ ତ୍ୱରାନ୍ବିତ ନ ହେଲେ ପରିସ୍ଥିତି ଅସମ୍ଭାଳ ହେବ। ରାଜ୍ୟ ସରକାର ୪୭ଟି ଖଣିର ନିଲାମ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ମନ୍ତ୍ରୀ କହିଛନ୍ତି ଯେ, ନିଲାମ ପାଇଁ ୭ଟି ଖଣିକୁ ଏସ୍‌ବିଆଇ କ୍ୟାପିଟାଲ ମାର୍କେଟସ୍‌ ଲିମିଟେଡ ସହ ଅନୁବନ୍ଧିତ କରାଯାଇଛି। ଆସନ୍ତା ମାର୍ଚ୍ଚମାସ ପୂର୍ବରୁ ଆଉ ୪୦ଟି ଖଣିର ନିଲାମ କରାଯିବ। ଯେଉଁ ୨୪ଟି ଖଣିର ଲିଜ୍‌ ସମୟ ସୀମା ଆସନ୍ତା ମାର୍ଚ୍ଚ ୨୦୨୦ ସୁଦ୍ଧା ଶେଷ ହେଉଛି, ସେ ସବୁକୁ ମିଶାଇ ନିଲାମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।