ମାମଲା ନ କରିବାକୁ ଲାଞ୍ଚ: ଭିଜିଲାନ୍ସ ଜାଲରେ ରାମଗିରି ଫରେଷ୍ଟର

ବ୍ରହ୍ମପୁର ଅଫିସ/ରାମଗିରି,୧୫ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରି ବନଖଣ୍ଡ ଫରେଷ୍ଟର ଦିବାକର ଲେଙ୍କା ମଙ୍ଗଳବାର ଜଣେ କରତକଳ ମାଲିକଙ୍କ ନଁାରେ ମାମଲା ରୁଜୁ ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ଦ୍ୱାରା ଧରାପଡି ଗିରଫ ହୋଇଛନ୍ତି। ଦିବାକରଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ମାମଲା ନମ୍ବର ୨/୨୦ରେ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ବୁଧବାର ଅଭିଯୁକ୍ତ ଫରେଷ୍ଟର ଦିବାକରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି। ଏହା ସହିତ ଫରେଷ୍ଟରଙ୍କ ପୈତୃକ ବାସଭବନ ଗଜପତି ଜିଲା କାଶୀନଗର, ପାରଳାଖେମୁଣ୍ଡିରେ ଥିବା ଭଡାଘର, ରାମଗିରି କାର୍ଯ୍ୟାଳୟରେ ଭିଜିଲାନ୍ସ କର୍ମଚାରୀମାନେ ଏବେ ଚଢାଉ ଜାରି ରଖିଛନ୍ତି ବୋଲି ଏସ୍‌ପି ସ୍ବାଇଁ କହିଛନ୍ତି।
ଘଟଣାରୁ ପ୍ରକାଶ, ରାମଗିରି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର କୃଷ୍ଣ ଚନ୍ଦ୍ର କାର୍ଜୀ ତାଙ୍କ ଜମିରେ ତିତ୍‌ଲି ସମୟରୁ ଭାଙ୍ଗି ପଡିଥିବା ଗଛଗୁଡିକୁ ଏକ କରତ ସାହାଯ୍ୟରେ କାଟୁଥିଲେ। ଏହି ଖବର ପାଇ ଫରେଷ୍ଟର ଦିବାକର ଘଟଣା ସ୍ଥଳରେ ପହଞ୍ଚି କରତ ଜବତ କରିଥିଲେ। ପରେ କୃଷ୍ଣଚନ୍ଦ୍ରଙ୍କୁ ଅଫିସକୁ ଆସିଦେଖା କରିବା ପାଇଁ କହିଥିଲେ। ପରେ କୃଷ୍ଣଚନ୍ଦ୍ର ରାମଗିରି ଫରେଷ୍ଟ ଅଫିସ ଯାଇ ଦିବାକରଙ୍କୁ କରତ ଫେରାଇ ଦେବାକୁ କହିଥିଲେ। ତେବେ ଫରେଷ୍ଟର ଏନେଇ ମାମଲା ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ କୃଷ୍ଣଚନ୍ଦ୍ର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ମଙ୍ଗଳବାର କୃଷ୍ଣଚନ୍ଦ୍ର ରାମଗିରି ଫରେଷ୍ଟ ଅଫିସ ଯାଇ ଦିବାକରଙ୍କୁ ତାଙ୍କ କାର୍ଯ୍ୟାଳୟରେ ୫ ହଜାର ଟଙ୍କା ଦେଇଥିଲେ। ସେ ଉକ୍ତ ଟଙ୍କା ପକେଟରେ ରଖିଥିଲେ। ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢାଉ କରି ଲାଞ୍ଚ ଟଙ୍କା ସହ ଫରେଷ୍ଟର ଦିବାକରଙ୍କୁ ଗିରଫ କରିଥିଲା।