ମାଫିଆଙ୍କ କବ୍‌ଜାରେ ବଳରାମ ପାହାଡ଼

ନୟାଗଡ଼ ଅଫିସ,୨୦ା୫- ନୟାଗଡ଼ ସହର ଉପକଣ୍ଠରେ ଥିବା ବଳରାମ ପାହାଡ଼ ଏବେ ମାଫିଆଙ୍କ କବ୍‌ଜାରେ। ସେମାନେ ମନଇଚ୍ଛା ପାହାଡ଼ର ବିଭିନ୍ନ ସ୍ଥାନରେ ପଥର ଫଟାଇ ବିକ୍ରି କରୁଛନ୍ତି। ଏପରି କି ଜଙ୍ଗଲରୁ ଗଛକାଟି ବିକ୍ରି କରିବାକୁ ମଧ୍ୟ ପଛାଉନାହାନ୍ତି। ଏହା ଦ୍ୱାରା ସବୁଜିମା ନଷ୍ଟ ହୋଇ ପାହାଡ଼ ତା’ର ଆକର୍ଷଣ ହରାଉଛି। ଏ ସମ୍ପର୍କରେ ବନ ବିଭାଗ ପାଖରେ କୌଣସି ଖବର ନ ଥିବା କୁହାଯାଉଛି। ପଚାରିଲେ ପଥର ଫଟାଯାଉଥିବା ସ୍ଥାନ ଘରୋଇ ବୋଲି ବିଭାଗ ସଫେଇ ଦେଉଛି। ଅନ୍ୟପକ୍ଷରେ ସଂରକ୍ଷିତ ଜଙ୍ଗଲରେ ଗଢିଉଠିଥିବା ଆଶ୍ରମକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।
ନୟାଗଡ଼ ପୁରୁଣା ସହର, ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ପଥୁରୀପଡ଼ା, ଡାମେଣୀ ବୃନ୍ଦାବନପୁର, ନୂଆଗାଁ ବ୍ଲକ ଖଣ୍ଡୁଗାଁ ପଞ୍ଚାୟତର ପଦ୍ମପୁର, କ୍ଷେତ୍ରୀୟବରପୁର ଗ୍ରାମ କଡ଼ଦେଇ ଲମ୍ବିଯାଇଛି ବଳରାମ ପାହାଡ଼। ସହର ଓ ଗାଁ ମଝିରେ ଏହି ପାହାଡ଼ ଥିବାରୁ ଏହା ସବୁବେଳେ ଆକର୍ଷଣ ସାଜିଥାଏ। ସବୁଜିମାଭରା ଏହି ପାହାଡ଼କୁ ମାଫିଆମାନେ ବିଭାଗ ସହିତ ସଲାସୁତରା କରି ନଷ୍ଟ କରିବାରେ ଲାଗିଛନ୍ତି। ଡାମେଣୀ ବୃନ୍ଦାବନପୁର ଗ୍ରାମର କଡ଼ରେ ଥିବା ପାହାଡ଼ ମଝିରେ ପଥର ଖୋଳାଯାଉଛି। ପ୍ରତିଦିନ ଟ୍ରାକ୍ଟର ସାହାଯ୍ୟରେ ପଥର ଅଣାଯାଇ ବିକ୍ରି କରାଯାଉଛି। କ୍ଷେତ୍ରୀୟବରପୁର ଗ୍ରାମ ନିକଟ ପାହାଡରେ ମଧ୍ୟ ସମାନ ଅବସ୍ଥା। ପ୍ରଥମେ ପାହାଡ଼ରେ ବଡ ବଡ ପଥର ଫଟାଯାଇ ତଳକୁ ଅଣାଯାଉଛି। ପରେ ତାହାକୁ ବଜୁରୀ କରାଯାଇ ବିକ୍ରି କରାଯାଉଛି। ଖାଲି ସେତିକି ନୁହେଁ, ପଥୁରୀପଡ଼ା ଗ୍ରାମ ନିକଟ ପାହାଡ଼ ମଝିରେ ଏକ ଆଶ୍ରମ ପ୍ରତିଷ୍ଠା କରାଯାଇଛି। ଏହି ଆଶ୍ରମରେ କି କାର୍ଯ୍ୟ ହେଉଛି ତାହା ତଦନ୍ତସାପେକ୍ଷ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂରକ୍ଷିତ ପାହାଡ଼ରେ କିପରି ଆଶ୍ରମ ଗଢିଉଠିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଏସବୁ କାର୍ଯ୍ୟ ଚାଲିଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏ ନେଇ ନୟାଗଡ଼ ରେଞ୍ଜର ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଆଶ୍ରମଟି ଘରୋଇ ଜାଗାରେ ତିଆରି ହୋଇଛି। ପଥର ଫଟାଯାଇ ବିକ୍ରି କରାଯାଉଥିବା ସମ୍ପର୍କରେ ସେ ଉକ୍ତ ସ୍ଥାନ ରେଭିନ୍ୟୁ ଲ୍ୟାଣ୍ଡ ବୋଲି କହିଥିଲେ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗୋଟିଏ ଦୁଇଟି ରେଭିନ୍ୟୁ ଲ୍ୟାଣ୍ଡରେ ପଥର ଖୋଳାଯିବାକୁ ଅନୁମତି ଦିଆଯାଇଛି। ହେଲେ ମାଫିଆମାନେ ପାହାଡ଼ର ୫ରୁ ଅଧିକ ସ୍ଥାନରେ ପଥର ଖୋଳୁଥିବା ଦେଖାଯାଉଛି। ବିଭାଗ ଏହାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି। ଅନ୍ୟଥା ସବୁଜିମାଭରା ସଂରକ୍ଷିତ ପାହାଡ଼ ଟାଙ୍ଗରା ଭୂଇଁ ପାଲଟିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।