ମାନିଲେନି ସାମାଜିକ ଦୂରତ୍ୱ ନିୟମ: ୨୯ ଦୋକାନୀ, ନିୟମ ଉଲ୍ଲଙ୍ଘନକାରୀ ଗିରଫ

ଭଦ୍ରକ ଅଫିସ, ୬ା୪: ସାମାଜିକ ଦୂରତ୍ୱ କଟକଣା ନିୟମକୁ ନ ମାନିବାରୁ ଭଦ୍ରକ ସହରର ବିଭିନ୍ନ ଦୋକାନକୁ ଭଦ୍ରକ ଟାଉନ ପୋଲିସ ସିଲ୍‌ କରିଛି। ଭଦ୍ରକ ସହରରେ ଶଟ୍‌ ଡାଉନ କଟକଣା ନିୟମ ରବିବାର ରାତି ୮ଟାରେ ଉଠିଥିଲା। ପୂର୍ବପରି ସହରରେ ଲକ୍‌ଡାଉନ କଟକଣା ନିୟମକୁ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ କୋହଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କୋହଳ ସମୟରେ ମୁଖ୍ୟତଃ ଗ୍ରାହକ ଓ ଦୋକାନୀଙ୍କୁ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଲୋକମାନେ ସକାଳୁ ନିତ୍ୟ ସାମଗ୍ରୀ କିଣିବା ପାଇଁ ଅହେତୁକ ଭିଡ଼ ଜମାଇଥିଲେ। ଏପରିକି ଦୋକାନୀ କିମ୍ବା ଲୋକ କେହି ବି ସାମାଜିକ ଦୂରତ୍ୱ କଟକଣାକୁ ମାନି ନ ଥିଲେ। ଏହି ନିୟମକୁ ଉଲ୍ଲଂଘନ କରୁଥିବା ୮ଟି ଦୋକାନୀ ଓ ୨୧ଜଣ ଉଲ୍ଲଂଘନକାରୀଙ୍କୁ ଟାଉନ ଓ ପୁରୁଣାବଜାର ପୋଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ମୋଟ ୮ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି।