ମାନବ ସେବା ଆଧ୍ୟାତ୍ମିକତାର ପ୍ରସାରିତ ରୂପ: ରାଜ୍ୟପାଳ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ସେବାର ସୀମା ସରହଦ୍‌ ନାହିଁ। ଏହା କୌଣସି ମନୁଷ୍ୟକୃତ ବିଭେଦକୁ ସ୍ବୀକାର କରେ ନାହିଁ। ମାନବ ସେବା ହେଉଛି ଆଧ୍ୟାତ୍ମିକତାର ପ୍ରସାରିତ ରୂପ। ଏହା ହିଁ ରେଡକ୍ରସ୍‌ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡ଼ିଶା ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି। ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଉଦ୍‌ଘାଟନ କରିଥିଲେ। ସେ କହିଲେ, ଯେଉଁଠି ଦୁଃଖ ଅଛି ଓ ଆବଶ୍ୟକତା ଅଛି, ସେଠି ପହଞ୍ଚତ୍ବା ଦରକାର ଏବଂ ସାମର୍ଥ୍ୟ ମତେ ସାହାଯ୍ୟ କରିବା ଦରକାର। ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ଅଂଶବିଶେଷ। ଏହି ଭାବଧାରାରେ ଅନୁପ୍ରାଣିତ ହୋଇ ସେବା କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ରେଡକ୍ରସ୍‌ ଏକ ସେବା ଅନୁଷ୍ଠାନ ଭାବରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଓଡ଼ିଶାରେ ରେଡକ୍ରସ୍‌ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଛି। ଏହି ପ୍ରକ୍ରିୟାକୁ ଆହୁରି କ୍ରିୟାଶୀଳ ଓ ବ୍ୟାପକ କରିବା ସହ ସେବା ଭାବର ପ୍ରସାରରେ ବିଶେଷ ଭୂମିକା ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଭାରତୀୟ ରେଡକ୍ରସ୍‌ ସୋସାଇଟି, ଜାତୀୟ ମୁଖ୍ୟାଳୟର ମହାସଚିବ ଆର.କେ. ଜୈନ ଯୋଗଦେଇ ଓଡ଼ିଶା ଶାଖାର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶା ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ ପାଇଁ ରେଡକ୍ରସ୍‌ର ସ୍ବତନ୍ତ୍ର ଯୋଜନା ଓ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ। ରେଡକ୍ରସ୍‌ର ଅନ୍ତର୍ଜାତୀୟ ପ୍ରତିନିଧି କମିଟିର ଉପମୁଖ୍ୟ ଇଭିସ୍‌ ହେଲର ରେଡକ୍ରସ୍‌ର ବିବର୍ତ୍ତିତ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ। ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡ଼ିଶା ଶାଖାର ଅବୈତନିକ ସଚିବ ସି.ଟି.ଏମ୍‌. ସୁଗୁଣା, ଅବୈତନିକ କୋଷାଧ୍ୟକ୍ଷା ମେଜର ଡ. କଳ୍ପନା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।