ମାତୃ ଓ ଶିଶୁ ସୁରକ୍ଷା ଯୋଜନା ବାଟବଣା: ଟଙ୍କାଟିଏ ପାଉନାହାନ୍ତି ଆଦିବାସୀ ମା’

ଜୟପୁର,୧୫ା୩(ନି.ପ୍ର.) ମାତୃ ଓ ଶିଶୁ ସୁରକ୍ଷା ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ କୋରାପୁଟ ପରି ଉପାନ୍ତ ଜିଲାରେ ଏହା ଫଳପ୍ରଦ ହୋଇପାରୁ ନାହିଁ। ତାହାର ଏକ ଦୃଷ୍ଟାନ୍ତ ଜିଲାର ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତ ପୋଡ଼ାପଦର ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ୨ ଜଣ ଆଦିବାସୀ ମହିଳା ମମତା ଯୋଜନାରେ ସାମିଲ ହୋଇଛନ୍ତି ସତ, କିନ୍ତୁ ସେମାନଙ୍କୁ ଟଙ୍କାଟିଏ ମଧ୍ୟ ସହାୟତା ମିଳିନାହିଁ। ନନ୍ଦେଇ ଜାନୀଙ୍କ ଶିଶୁ ଜନ୍ମହୋଇ ୪ମାସ ବିତିଲାଣି। ସୁବତି ସାନ୍ତାଙ୍କ ୧ ମାସର ନବଜାତ ଶିଶୁ ରହିଛି। ସେମାନଙ୍କ ବ୍ୟାଙ୍କ ପାସବୁକ୍‌ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ପାଖରେ ଥିବାବେଳେ ସେମାନଙ୍କୁ ଟଙ୍କାଟିଏ ମିଳିନାହିଁ। କୌଣସି ମହିଳା ନିଜ ନାମକୁ ପଞ୍ଜିକୃତ କରିବା ପରେ ସେ ଗର୍ଭବତୀ ହେବା ପରଠାରୁ ଶିଶୁ ଜନ୍ମ ହେବାର ୨ ବର୍ଷ ପର୍ଯ୍ୟନ୍ତ ମା’ ଓ ଶିଶୁର ସମସ୍ତ ତଥ୍ୟ ଓ ଠିକଣା ଉଲ୍ଲେଖ ରହିବ। ଆର୍ଥତ୍କ ସ୍ବଚ୍ଛଳ ହୋଇ ନ ଥିବା ଯୋଗୁ ଗର୍ଭାବସ୍ଥା ଓ ସ୍ତନ୍ୟପାନ ବେଳେ ଅନେକ ମହିଳାଙ୍କୁ ଶାରୀରିକ ଶ୍ରମ କରିବାକୁ ପଡ଼ିଥାଏ। ଏହାଦ୍ୱାରା ନବଜାତ ଶିଶୁର ଅସୁସ୍ଥତା ଓ ମୃତ୍ୟୁର ଆଶଙ୍କା ବଢ଼ିଯାଏ। ଏହାକୁ ରୋକିବା ପାଇଁ ଗର୍ଭବତୀ ମହିଳାଙ୍କୁ ୬ ମାସ ବିତିବା ପରେ ୭ ମାସରେ ୩ ହଜାର ମା’ ପାଇଁ ଓ ନବଜାତ ଶିଶୁକୁ ୯ ମାସ ପରେ ୨ ହଜାର ଟଙ୍କା ମିଳିବ। କିନ୍ତୁ ନନ୍ଦେଇ ଓ ସୁବତୀଙ୍କ ଭଳି ବହୁ ଆଦିବାସୀ ମହିଳା ଏହି ସରକାରୀ ଯୋଜନାରେ ଟଙ୍କାଟିଏ ବି ପାଇନାହାନ୍ତି। ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବା ପାଇଁ ଦାବି ହୋଇଛି। ଏନେଇ ସିଡିପିଓ ପ୍ରଭାତିରାଣୀ ତ୍ରିପାଠୀ କହିଛନ୍ତି, ମୁଁ ଏ ସମ୍ପର୍କରେ ବୁଝିବା ପରେ ପଦକ୍ଷେପ ନେବି।