ମାଟ୍ରିକ୍‌ ପରୀକ୍ଷାରୁ ଦଳିତ ଛାତ୍ର ବଞ୍ଚିତ ହେବା ମାମଲା: ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ଆଡମିଟ୍‌ କାର୍ଡ ନ ପାଇବାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ୨୦୧୫ ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ଅନୁଗୋଳ ଜିଲା ପାଲଲହଡ଼ା ମହତାବ ହାଇସ୍କୁଲର ଜଣେ ଦଳିତ ଛାତ୍ର। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓଡ଼ିଶା ମାନବ ଅଧିକାର କମିଶନ(ଓଏଚ୍‌ଆରସି) ଉକ୍ତ ଛାତ୍ରଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥରାଶି ଦୁଇ ମାସ ମଧ୍ୟରେ ଦେବାକୁ କୁହାଯାଇଛି। କ୍ଷତିପୂରଣ ଅର୍ଥ ପାଲଲହଡ଼ା ମହତାବ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କଠାରୁ ଆଦାୟ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରଜଣକ ମେସ୍‌ ଅର୍ଥ ବାକି ରଖିବା କାରଣରୁ ତାଙ୍କୁ ପ୍ରଧାନଶିକ୍ଷକ ଆଡମିଟ୍‌ କାର୍ଡ ଦେଇ ନ ଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓ ବିଜୟ କୁମାର ପଣ୍ଡା ୨୦୧୫ ଫେବୃୟାରୀ ୨୮ରେ ଓଏଚ୍‌ଆରସିରେ ଅଭିଯୋଗ କରିଥିଲେ। ମେସ୍‌ ଫି ୫ ହଜାର ୩ଶହ ଟଙ୍କା ଥିବାବେଳେ ଛାତ୍ରଜଣକ ୩ହଜାର ଟଙ୍କା ପୈଠ କରିଥିଲେ। ଅର୍ଥାଭାବରୁ ସେ ବଳକା ଟଙ୍କା ଦେଇପାରି ନ ଥିଲେ। ଏନେଇ ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ମଗାଯିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଥିଲେ। ଛାତ୍ରଜଣକ ଆଡମିଟ୍‌ କାର୍ଡ ନେବାକୁ ଆସିଲେ ନାହିଁ ବୋଲି ସଫେଇ ଦେଇଥିଲେ। ଏହାକୁ ନେଇ କମିଶନ ପ୍ରଶ୍ନ କରିଥିଲେ ଯେ, ଛାତ୍ରଜଣକ ଯଦି ପରୀକ୍ଷା ଦେବାକୁ ଚାହୁଁ ନ ଥିଲେ ତେବେ ସେ କାହିଁକି ଆଡମିଟ୍‌ କାର୍ଡ ଦିଆଯିବା ପୂର୍ବଦିନ ସ୍କୁଲକୁ ଆସି ମେସ୍‌ ଫି ବାବଦ ଟଙ୍କା ପୈଠ କରିଥିଲେ। ଏପରି କି ତା’ ପରଦିନ ଛାତ୍ରଙ୍କ ମା’ କାହିଁକି ପ୍ରଧାନଶିକ୍ଷକଙ୍କୁ ଫୋନ୍‌ କରିଥିଲେ ବୋଲି କମିଶନ ପ୍ରଶ୍ନ କରି ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ତେବେ ଛାତ୍ରଙ୍କ ବାପା ଜଣେ ଦିନ ମଜୁରିଆ। ତାଙ୍କର ୪ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅର୍ଥର ଅଭାବ ରହିଥିଲା। ତାଙ୍କର ଗୋଟିଏ ଝିଅ ଯୁକ୍ତ୨ରେ ପଢ଼ୁଥିଲେ। ତେଣୁ ପୁଅକୁ ପାଠ ପଢାଇବାକୁ ସେ ଚାହୁଁ ନ ଥିଲେ। ଫଳରେ ପୁଅକୁ ଆଡମିଟ୍‌ କାର୍ଡ ନ ଆଣିବାକୁ କହିଥିଲେ ବୋଲି ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀ ଉତ୍ତର ଦେଇଥିଲେ। ଏହାକୁ ନେଇ କମିଶନ ସନ୍ଦେହ କରିଥିଲେ। ଏଥିରେ ପ୍ରଧାନଶିକ୍ଷକଙ୍କ ଭୁଲ ରହିଥିବା କମିଶନ ସଦସ୍ୟ ବିଚାରପତି ରଘୁବୀର ଦାସ ହୃଦ୍‌ବୋଧ କରିଥିଲେ। ଛାତ୍ରଙ୍କ ମାନବିକ ଅଧିକାର ଉଲ୍ଲଂଘନ ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।