ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା ହୋଇ ମୃତ । ସୂଚନା ଅନୁଯାଇ ସେଟରାଇ ଗ୍ରାମର ରାଜୁ ମାରିଙ୍କ ସାନ ପୁଅ କାମେଶ ବ୍ଲକ ସଦର ମହକୁମା ସ୍ଥିତ ପିଏମଶ୍ରୀ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢି ଚଳିତ ବର୍ଷ ପରୀକ୍ଷା ଦେଇ ହୋଇଥିଲେ ଫେଲ୍ । ଯାହାକି ବାପା ମା ଏବଂ ପରିବାର ବର୍ଗଙ୍କ ଦାଗିଦ ଭୟରେ ନିଜ ସାଙ୍ଗମାନଙ୍କ ସହ ମିଶି ପଡୋଶୀ ଆନ୍ଧ୍ର ରାଜ୍ୟର ଭିମାମାରାମ ଜିଲାକୁ ଦାଦନ ଶ୍ରମିକ ହୋଇ ଚାଲି ଯାଇଥିଲେ । ଉକ୍ତ ଜିଲାର ଏକ ଚିଙ୍ଗୁଡ଼ି କାରଖାନାରେ ଗତ ୧୫ ଦିନ ହେଲା କାର୍ଯ୍ୟ କରୁଥିବା ବେଳେ ରବିବାର ଭୋର ସକାଳୁ ଉକ୍ତ ଅଞ୍ଚଳର କିଛି ଯୁବକଙ୍କ ସହ ମିଶି ଏକ ମୋଟର ସାଇକେଲରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ମୋଟର ସାଇକେଲ ସହ ମୁହାଁମୁହିଁ ହୋଇ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ କି ଦୁର୍ଘଟଣା ସ୍ଥଳେ ହିଁ କାମେଶଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ସମୟ ପରେ ଭିମାମାରାମ ଜିଲା ପୋଲିସଙ୍କ ଠାରୁ ଖବରପାଇ ମୃତ କାମେଶଙ୍କ ବାପା ରାଜୁଙ୍କ ସମେତ ସମ୍ପର୍କୀୟମାନେ ଆନ୍ଧ୍ର ରାଜ୍ୟର ଭିମାମାରାମ ଅଞ୍ଚଳରେ ପହଞ୍ଚି ମୃତ କାମେଶଙ୍କ ମୃତଶରୀରକୁ ଶେଷ ଦର୍ଶନ କରି ପୋଲିସ ସହାୟତାରେ ଶବ ବ୍ୟବଚ୍ଛେଦ କରି ନିଜ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପହଞ୍ଚି ଥିବା ଜଣାପଡିଛି । ସେପଟେ ମୃତ କାମେଶ ମରଶରୀର କିପରି ନିଜ ଗ୍ରାମରେ ପହଞ୍ଚିବ ସେନେଇ ସହଯୋଗର ହାତ ବଢାଇ ଚିଙ୍ଗୁଡି କାରଖାନା ମାଲିକ ଆମ୍ବୁଲାନ୍ସ ଯୋଗାଇ ଦେଇଥିବା ସହ ୫୦ ହଜାର ଟଙ୍କା ସହାୟତା ଦେଇ ପଠାଇବାରେ ସାହାଯ୍ୟ କରିଥିବା ମୃତ କାମେଶଙ୍କ ବାପା ରାଜୁ ପ୍ରକାଶ କରିଛି । ଅନ୍ୟପକ୍ଷରେ ମୃତ କାମେଶ ଘରର ସାନ ପୁଅ ହୋଇଥିବା ବେଳେ ଦାଦନ ଶ୍ରମିକ ଭାବେ ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ଓଡ଼ିଶା ସରକାର ଏବଂ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ପରିବାର ବର୍ଗଙ୍କୁ କିଛି ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଏବଂ ସମ୍ପର୍କୀୟମାନେ ଗୁହାରୀ କରିଛନ୍ତି ।

