ମାଟିରେ ମିଶିଲା ରୂପେଶ ଭଦ୍ରଙ୍କ ଅତିଥିଭବନ

ଧର୍ମଶାଳା/ରସୁଲପୁର,୭।୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ର୍ନିବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିଥିବା ବାଲିଗରିରେ ଥିବା ଅତିଥିଭବନ ଶୁକ୍ରବାର ଭଙ୍ଗାଯାଇଛିା। ବର୍ତ୍ତମାନ ସମ୍ପୂର୍ଣ୍ଣ ଅଟ୍ଟାଳିକା ମାଟିରେ ମିଶିଛି। ପାଞ୍ଚଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅପରାହ୍ନ ୧୨ଟାରୁ ଏହି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ଗୁରୁବାର ଏ ନେଇ ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ପରିବାରକୁ ନୋଟିସ କରାଯାଇଥିଲା। ସକାଳେ ଏଡିଏମ୍‌ ମିହିର କୁମାର ମହାନ୍ତି, ଅତିରିକ୍ତ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଏସ୍ଡିପିଓ ଚିନ୍ମୟ କୁମାର ନାୟକ, ଏଏସ୍ପି ରାଜକିଶୋର ଦୋରା, ଭବାନୀଶଙ୍କର ପଟ୍ଟନାୟକ, ଜେନାପୁର-ବଡ଼ଚଣା-କୁଆଖିଆ ଥାନାଧିକାରୀଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଅତିଥିଭବନ ଭଙ୍ଗା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ହରିଦାସପୁର ସରପଞ୍ଚ ତଥା ରୁପେଶଙ୍କ ସ୍ତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ। ଗୁରୁବାର ସେମାନେ ନୋଟିସ ପାଇଥିବା ବେଳେ ଏତେ କମ୍‌ ସମୟ ବ୍ୟବଧାନରେ କିଭଳି ଭାବେ ଘର ଭଙ୍ଗାଯିବ ସେନେଇ ଆପତ୍ତି ଉଠାଇଥିଲେ । ହେଲେ ପରେ ଅତିଥିଭବନଟି ନିଶ୍ଚିତ ଭଙ୍ଗାଯିବ ବୋଲି ଜାଣିବା ପରେ ସେଠାରୁ ବିଭିନ୍ନ ସାମଗ୍ରୀ ବାହାର କରିନେଇଥିଲେ। ଏହାପରେ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଅକ୍ଟୋବର ୧୬ ତାରିଖରେ ଉକ୍ତ ଅତିଥିଭବନରେ ସ୍ମିତାରାଣୀଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୁମ୍ବିତୋଫାନ କରାଯାଇଥିଲା। ଘଟଣାରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ଅପରପକ୍ଷେ ରୂପେଶଙ୍କ ଅତିଥିଭବନଟି ବିବାଦୀୟ ଜମିରେ ରହିଥିବା ଖବର ପ୍ରକାଶ ପାଇଥିଲା। ତହସିଲଦାର ଘଟଣାର ଯାଞ୍ଚ କରି ଅତିଥିଭବନଟି ଏକ ସରକାରୀ ଜମିରେ ରହିଥିବା ରିପୋର୍ଟ ପ୍ରଦାନ କରିଥିଲେ। ଏହି ତଥ୍ୟ ପ୍ରଘଟ ହେବା ପରେ ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଅତିଥିଭବନ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।