Categories: ଖେଳ

ମାଞ୍ଚେଷ୍ଟର ଫୁଡ୍‌ ବ୍ୟାଙ୍କକୁ ସାହାଯ୍ୟ କରିବା ଲାଗି ଏକାଠି ହେଲେ ୟୁନାଇଟେଡ୍‌, ସିଟି

ଲଣ୍ଡନ, ୨୨।୩(ଏଏଫ୍‌ପି)- ପ୍ରିମିୟର ଲିଗ୍‌ର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଓ ମାଞ୍ଚେଷ୍ଟର ସିଟି କୋଭିଡ୍‌-୧୯ ଭୟାବହତା ଦ୍ୱାରା ପ୍ରଭାବିତ ସହରର ଖାଦ୍ୟ ବ୍ୟାଙ୍କକୁ ସାହାଯ୍ୟ କରିବା ଲାଗି ମିଳିତ ଭାବେ ଏକ ଲକ୍ଷ ପାଉଣ୍ଡ ଖର୍ଚ୍ଚ କରିବେ। ଏହି କାର୍ଯ୍ୟକ୍ରମକୁ ଦୁଇ ଦଳର ଫ୍ୟାନ୍‌ମାନେ ଆରମ୍ଭ କରିଛନ୍ତି। ଉଭୟ ଫ୍ରାଞ୍ଚାଇଜ ୫୦ ହଜାର ପାଉଣ୍ଡ ଅର୍ଥାତ ୪୪ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବେ। ସାଧାରଣତଃ ଖାଦ୍ୟ ବ୍ୟାଙ୍କକୁ ସାହାଯ୍ୟ କରିିବା ଲାଗି ଦୁଇ ଦଳର ଘରୋଇ ମ୍ୟାଚ୍‌ବେଳେ ଅର୍ଥ ଆଦାୟ ହୁଏ। ମାତ୍ର ଇଂଲଣ୍ଡରେ ଫୁଟବଲ ଅତିକମ୍‌ରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହୋଇଥିବାରୁ ଆଉ ଆଦାୟ ହୋଇପାରିବ ନାହିଁ। ପ୍ରଶଂସକ ମିଳିତ ଭାବେ ଫୁଡ୍‌ ବ୍ୟାଙ୍କକୁ ସାହାଯ୍ୟ କରୁଥିବାରୁ ଆମେ ଗର୍ବିତ। ଏଭଳି ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଆମେ ଏକାଠି ହୋଇ କାର୍ଯ୍ୟ କରିବାକୁ ଆଗେଇ ଆସିଛୁ ବୋଲି ଦୁଇ ଦଳର ମିଳିତ ବିବୃତିରେ କୁହାଯାଇଛି। ଆଦାୟ ହୋଇଥିବା ଅର୍ଥ ଦ୍ୱାରା ଗ୍ରେଟର ମାଞ୍ଚେଷ୍ଟର ଅଞ୍ଚଳରେ ଥିବା ଟ୍ରୁସେଲ ଟ୍ରଷ୍ଟର ୧୯ ଫୁଡ୍‌ ବ୍ୟାଙ୍କ କେନ୍ଦ୍ରକୁ ସାହାଯ୍ୟ କରାଯିବ।

Share