Categories: ରାଜ୍ୟ

ମା’ଝିଅଙ୍କଠାରୁ ୫୬ ହଜାର ୮ଶହ ଲୁଟ୍‌

ଗଣିଆ,୨୦।୬(ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବଜାରରୁ ବୁଧବାର ଦିନ ଦ୍ୱିପ୍ରହରରେ ଲୁଟେରାମାନେ ୨ମହିଳାଙ୍କଠାରୁ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ଲୁଟ୍‌ର ଶିକାର ମହିଳାଦ୍ୱୟ ହେଲେ ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ ଗୋପାଳ ପ୍ରସାଦ ଗ୍ରାମର ଗୀତାଞ୍ଜଳି ପ୍ରଧାନ ଓ ତାଙ୍କ ମା’ କୋକିଳ ପ୍ରଧାନ । ଏ ନେଇ ମା’ ଓ ଝିଅ ଅପରାହ୍ନରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ବୁଧବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଗଣିଆସ୍ଥିତ ଇଣ୍ଡିଆନ ବ୍ୟାଙ୍କ ଶାଖାରୁ ଗାଡ଼ି କିସ୍ତି ଦେବା ପାଇଁ ଗୀତାଞ୍ଜଳି ଓ କୋକିଳ ଉଭୟଙ୍କ ଆକାଉଣ୍ଟରୁ ୫୬ହଜାର ୮ଶହ ଟଙ୍କା ଉଠାଣ କରିଥିଲେ । ସମୁଦାୟ ଟଙ୍କା ସହ ରାଶନ କାର୍ଡ, ୨ଟି ବ୍ୟାଙ୍କ ପାସ୍‌ବୁକ୍‌ ଓ ଏକ ମୋବାଇଲକୁ ଗୀତାଞ୍ଜଳି ନିଜର କ୍ୟାରିବ୍ୟାଗ୍‌ରେ ରଖିଥିଲେ। ବ୍ୟାଙ୍କଠାରୁ ଚାଲି ଚାଲି ଆସି ସେମାନେ ଗଣିଆ ତଳବଜାର ମା’ ମଙ୍ଗଳାମଣ୍ଡପ ନିକଟରେ ଗାଁକୁ ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିଲେ । ଏକ ବାଇକ୍‌ରେ ସେମାନଙ୍କୁ ପିଛା କରୁଥିବା ଦୁଇଜଣ ଯୁବକ ଆସି ହଠାତ୍‌ ଗୀତାଞ୍ଜଳିଙ୍କଠାରୁ କ୍ୟାରିବ୍ୟାଗ୍‌ ଜୋରଜବରଦସ୍ତ ଛଡାଇନେଇ ଗଣିଆ-କଣ୍ଟିଲୋ ରାସ୍ତାରେ ଦ୍ରୁତଗତିରେ ପଳାଇ ଯାଇଥିଲେ । ଲୁଟେରା ଦୁଇଜଣଙ୍କୁ ଗୀତାଞ୍ଜଳି ବ୍ୟାଙ୍କ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ପାଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି।