ମାଛ ଧରିବାକୁ ଯାଇ ନିଖୋଜ ଥିବା ବାପ-ପୁଅଙ୍କ ମୃତଦେହ ଉଦ୍ଧାର

ବଡ଼ସାହି,୪।୫(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ ଗ୍ରାମର ବାପ-ପୁଅ ମାଛ ଧରିବାକୁ ଯାଇ ରବିବାର ନିଖୋଜ ହୋଇଥିଲେ। ତେବେ ସୋମବାର ସକାଳେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ବାପା-ପୁଅ ହେଲେ ଗଣେଶ୍ବର ଦେହୁରୀ ଓ ତାଙ୍କର ୮ବର୍ଷର ପୁଅ।
ପ୍ରକାଶ ଯେ, ଗଣେଶ୍ବର ରବିବାର ମାଛ ଧରିବା ପାଇଁ ସାନ ପୁଅ ସହ ବାଇକ୍‌ ଯୋଗେ ଜାଲ ନେଇ ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟ ବା କୁଣ୍ଡିକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାକୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ମନ୍ଦିର ପାଖରେ ବାଇକ ମିଳିଥିବା ବେଳେ ଡିକିରେ ମୋବାଇଲ ଫୋନ୍‌ ଥିଲା। ମାତ୍ର ବାପ-ପୁଅଙ୍କର ପତ୍ତା ମିଳି ନ ଥିଲା। ଗ୍ରାମବାସୀ, ପୋଲିସ ଓ ଦମକଳ ବାହିନୀ ରାତିସାରା ପାଣିରେ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ତେବେ ସୋମବାର ସକାଳୁ ପାଣିରେ ବାପ-ପୁଅଙ୍କ ଚପଲ ଭାସୁଥିବା ଦେଖି ସେହିସ୍ଥାନରେ ବୁଡି ଉଭୟଙ୍କୁ ଉଦ୍ଧାର କରାଯାଇଛି। ଏ ନେଇ ବୈଶିଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆର୍‌ଏମ ମେଡ଼ିକାଲକୁ ପଠାଇଛି।