Categories: ଗଞ୍ଜାମ

ମାଛ ଧରାକୁ ନେଇ ସଂଘର୍ଷ ଘଟଣା: ୩ ମାମଲା ରୁଜୁ, ଗ୍ରାମରେ ପୋଲିସ ଛାଉଣୀ

ଗୋପାଳପୁର,୩ା୧୦-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାମେୟାପାଟଣା ଓ ଚନ୍ଦନବାଡ଼ ଗ୍ରାମର ବାହୁଦା ନଦୀରେ ମାଛ ଧରିବାକୁ ନେଇ ମଙ୍ଗଳବାର ୨ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ଗୋଳନ୍ଥରା ପୋଲିସ ୩ ମାମଲା ରୁଜୁ କରିଛି । ବୁଧବାର ସଦର ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ର ଚନ୍ଦନବାଡ଼ ଓ ରାମେୟାପାଟଣା ଯାଇ ସ୍ଥିତି ଅନୁଧ୍ୟାନ କରି ଗ୍ରାମବାସୀଙ୍କ ସହ ଆଲାଚନା କରିଥିଲେ । ବର୍ତ୍ତମାନ ଗ୍ରାମରେ ୪ ପ୍ଲାଟୁନ ଫୋର୍ସ ପଇଁତରା ମାରୁଥିବା ବେଳେ ଗୋଳନ୍ଥରା ଥାନା ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରିଛନ୍ତି । ଏସ୍‌ଡିପିଓ ମହାପାତ୍ର କିଭଳି ଶାନ୍ତି ଫେରିବ ସେନେଇ ଭଦ୍ରଲୋକଙ୍କ ଉପସ୍ଥିତିରେ ଗ୍ରାମରେ ଆଲୋଚନା କରିଥିଲେ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଏସ୍‌ଡିପିଓ ମହାପାତ୍ର ସୂଚନା ଦେଇଛନ୍ତି । ଆହତ ପି.ରାମେୟା ଓ କେ. ଜାନକୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗୋଳନ୍ଥରା ଥାନାରେ ରାମେୟାପାଟଣାର ପି. କାର୍ଲେୟା, ବି. କାମ୍ମାମା ଓ ଚନ୍ଦନବାଡ଼ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ନଂ. ୨୩୯, ୨୪୦, ୨୪୧/୧୯ରେ ଉଭୟ ପକ୍ଷର ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନଁାରେ ମାମଲା ରୁଜୁ କରାଯାଇଛି । ଖୁବଶୀଘ୍ର ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ପ୍ରକାଶଯେ, ୨ ବର୍ଷ ହେଲା ଚନ୍ଦନବାଡ଼, ରାମେୟାପାଟଣା ଗ୍ରାମବାସୀ ବାହୁଦା ନଦୀରେ ମାଛ ଧରିବାକୁ ନେଇ ବିବାଦ ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା ତାର କୌଣସି ସମାଧାନ ନ ହେବା ଫଳରେ ଗତ ୧ ବର୍ଷ ହେଲା ଉକ୍ତ ଅଞ୍ଚଳରେ ୧୪୪ ଦାରା ଜାରି କରାଯାଇଛି ।