ମାଙ୍କଡ଼ ଆକ୍ରମଣରେ ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ

ବିଞ୍ଝାରପୁର/ବରୀ,୪ା୧ (ଡି.ଏନ.ଏ/ସ୍ବ.ପ୍ର.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରିଲୋ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କୁ ମାଙ୍କଡ଼ ଆକ୍ରମଣ କରିବାରୁ ସେ ଛାତରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ମହିଳା ହେଉଛନ୍ତି ଉକ୍ତ ଗ୍ରାମର ଅରୁଣ ସ୍ବାଇଁଙ୍କ ସ୍ତ୍ରୀ ଜୟନ୍ତୀ। ଏହି ଘଟଣାରେ ବିଞ୍ଝାରପୁର ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧/୨୦) ରୁଜୁ କରିଛି।
ପ୍ରକାଶ ଯେ, ଜୟନ୍ତୀ ଶୁକ୍ରବାର ସକାଳେ ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ। ଏହି ସମୟରେ ମାଙ୍କଡ଼ ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ ଭୟଭୀତ ହୋଇ ଜୟନ୍ତୀ ଦୌଡ଼ି ପଳାଇ ଯାଉଥିବାବେଳେ ଛାତରୁ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ଏବେ ସେହି ଅଞ୍ଚଳରେ ମାଙ୍କଡ଼ ଉପଦ୍ରବକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ମାଙ୍କଡ଼ ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ କରିବା ସମ୍ପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେଲେ ମଧ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।