ମା’କୁ ଖୋଜୁଛି ଛୁଆ ହାତୀ

କେନ୍ଦୁଝର,୧୯ା୬ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ବନଖଣ୍ଡ ଭୂୟାଁ ଓ ଜୁଆଙ୍ଗ ପୀଢ ବନାଞ୍ଚଳ କାଞ୍ଜିପାଣି ଜଙ୍ଗଲରେ ଗୋଠରେ ଥିବା ମା’ଠାରୁ ଅଲଗା ହୋଇ ବାଟବଣା ହୋଇ ଏଣେତେଣେ ବୁଲୁଥିବା ଏକ ହାତୀ ଛୁଆ ମା ପାଖକୁ ଯାଉ ନ ଥିବାରୁ ବନ ବିଭାଗକୁ ନାକେଦମ ହେବାକୁ ପଡିଛି। ହାତୀ ଛୁଆଟି ମା’ ପାଖକୁ ଯାଇ ନ ପାରି ଏଣେତେଣେ ଘୁରିବୁଲୁଥିବା ଜଣାପଡିଛି । ହାତୀ ଛୁଆର ବୟସ ଦେଢ ବର୍ଷ ହେବ ବୋଲି କୁହାଯାଉଛି। ସେ ଗତ ମଙ୍ଗଳବାରଠୁ ମା’ଠାରୁ ଅଲଗା ହୋଇ ବୁଲୁଥିବା ସ୍ଥାନୀୟ ଲୋକ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ । ହାତୀଟି କିଛି ଖିଆପିଆ କରୁ ନ ଥିବାରୁ ବନ ବିଭାଗ କର୍ମଚାରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତାର କୌଣସି କ୍ଷତି ନ ହେବ ସେ ନେଇ ବନ ବିଭାଗ ପକ୍ଷରୁ ୧୫ ଜଣିଆ ଏକ ସ୍କ୍ବାର୍ଡ ଗଠନ କରି ନଜର ରଖିବା ସହ ମା’ ହାତୀ ପାଖକୁ ଫେରାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ୭ଟି ହାତୀ ବିଶିଷ୍ଟ ଏକ ଦଳରୁ ହାତୀ ଛୁଆ ଅଲଗା ହୋଇଥିବା ବେଳେ ସେମାନେ ଅନ୍ୟ ଅଞ୍ଚଳକୁ ଚାଲିଯାଉଥିବାରୁ ବନ ବିଭାଗ ଚିନ୍ତାରେ ରହିଛନ୍ତି। ଏସମ୍ପର୍କରେ ବନାଞ୍ଚଳ ଅଧିକାରୀ ମୁକ୍ତିକାନ୍ତ ପରିଡା କହିଛନ୍ତି ଯେ, ଉକ୍ତ ରେଞ୍ଜରେ ୩/ ୪ ଟି ଗ୍ରୁପରେ ୪୫ ହାତୀ ବିଚରଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣିଆ ଗ୍ରୁପରୁ ଏହି ହାତୀଟି ଅଲଗା ହୋଇ ବୁଲୁଛି । ହାତୀଟି ବଡ ଅଛି ଏବଂ ନିଜେ ଖାଇ ପିଇ ପାରୁଛି । ତେଣୁ ସମସ୍ୟା ନାହିଁ । ତଥାପି ଏହାର ଗତିବିଧି ଉପରେ ନଜର ରଖାଯାଇଛି।