ମାଓବାଦୀଙ୍କ ନାମରେ ଠିକାଦାରଙ୍କୁ ୨୫ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ: ନାରାୟଣପାଟଣାରୁ ୩ ନକଲି ମାଓବାଦୀ ଗିରଫ

କୋରାପୁଟ/ନାରାୟଣପାଟଣା,୨୨।୧୦(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳରୁ ମଙ୍ଗଳବାର ୩ ଜଣ ନକଲି ମାଓବାଦୀଙ୍କୁ କରାଯାଇଛି। ନାରାୟଣପାଟଣା ଅଞ୍ଚଳରେ ବହୁ ଠିକାଦାରଙ୍କଠାରୁ ମାଓବାଦୀଙ୍କ ନାମରେ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ଏମାନଙ୍କୁ ନାରାୟଣପାଟଣା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ୩ ନକଲି ମାଓବାଦୀ ହେଲେ ନାରାୟଣପାଟଣାର କେନ୍ଦୁବାଡି ଗ୍ରାମର ବାସୁଦେବ ପାଙ୍ଗି, ତଳ ଗୁମାଣ୍ଡି ଅଞ୍ଚଳର ସୁରଥ ତାଡିଙ୍ଗି, ତେନ୍ତୁଳିପଦର ଗ୍ରାମର ଯୁନେଶ ଖୋସଲ୍ଲା। ଏମାନଙ୍କଠାରୁ ପୋଲିସ ୭ ମୋବାଇଲ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ନାରାୟଣପାଟଣା ଅଞ୍ଚଳରେ ଜୟପୁର ଅଞ୍ଚଳର ଦିପକ ବୁଦବାଲା ନାମକ ଜଣେ ଠିକାଦାର ରାସ୍ତା କାମ କରୁଥିବାବେଳେ ଏହି ତିନି ଜଣ ମାଓବାଦୀଙ୍କ ନାମରେ ସଂପୃକ୍ତ ଠିକାଦାରଙ୍କୁ ଫୋନରେ ୨୫ ଲକ୍ଷ ଟଙ୍କା ଦାବି କରି ଆସୁଥିଲେ। ନାରାୟଣପାଟଣା ପୋଲିସ ଏହି ନକଲି ମାଓବାଦୀଙ୍କ ଫୋନ ଟ୍ୟାପ୍‌ କରି ସୋମବାର ପଚରାଉଚରା କରୁଥିବାବେଳେ ସେମାନେ ମାଓବାଦୀଙ୍କ ନାମରେ ଅର୍ଥ ମାଗିଥିବା ସ୍ବିକାର କରିଛନ୍ତି। ମଙ୍ଗଳବାର ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନାରାୟଣପାଟଣା ଥାନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।