Categories: ରାଜ୍ୟ

ମାଉସୀମା’ ମନ୍ଦିର ଆଗରେ ତିନିଠାକୁରଙ୍କ ରଥ

ରଣପୁର, ୭ା୭ (ସ୍ବ.ପ୍ର.): ଓଡ଼ିଶାର ଦ୍ୱିତୀୟ ଶ୍ରକ୍ଷେତ୍ର କୁହାଯାଉଥିବା ରଣପୁରଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ଶନିବାର ସମାପ୍ତ ହୋଇଛି । ସନ୍ଧ୍ୟାରେ ରଥରୁ ୩ଠାକୁରଙ୍କୁ ପୂଜା ପଣ୍ଡାମାନେ ପହଣ୍ଡି ବିଜେ କରାଇ ମାଉସୀମା’ ମନ୍ଦିରକୁ ନେଇଥିଲେ। ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଠାକୁରମାନେ ମାଉସୀମା’ ମନ୍ଦିରରେ ରହି ଭକ୍ତମାନଙ୍କୁ ଦର୍ଶନ ଦେବେ। ଘୋଷଯାତ୍ରା ଦିନ ରଣପୁର ଜଗନ୍ନାଥ ମନ୍ଦିରରୁ ଶ୍ରୀଜୀଉମାନେ ରଥାରୂଢ ହୋଇ ନଅଦିନ ପାଇଁ ନିଜର ଜନ୍ମମାଟି ମାଉସୀମା’ ମନ୍ଦିରକୁ ବାହାରିଥିଲେ। ହେଲେ କେବଳ ବଡଠାକୁର ବଳଭଦ୍ରଙ୍କ ରଥକୁ ଭକ୍ତମାନେ ଟାଣିନେଇ ମାଉସୀମା’ ମନ୍ଦିର ରଥଖଳାରେ ପହଞ୍ଚାଇଥିଲେ। ସେହିପରି ଶୁକ୍ରବାର ମହିଳା ଭକ୍ତମାନେ ମା’ ସୁଭଦ୍ରାଙ୍କ ରଥକୁ ଟାଣି ମାଉସୀମା’ ମନ୍ଦିର ନିକଟରେ ପହଞ୍ଚାଇଥିଲେ। ପରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣିନେଉଥିବା ସମୟରେ ଚୈତନ୍ୟ ମଠ କାମନାଘର ସମ୍ମୁଖ ଏକ ଗୃହରେ ଲାଗିଯିବାରୁ ଏହା ଅଟକି ରହିଥିଲା। ରାତ୍ର ହୋଇଯିବାରୁ ରଥଟଣା କାର୍ଯ୍ୟ ବନ୍ଦ କରାଯାଇଥିଲା। ଶନିବାର ସକାଳେ ବଢେଇ ମହାରଣାମାନେ ସଜାଡିବା ପରେ ୧୦ଟାରେ ଭକ୍ତମାନେ ନନ୍ଦିଘୋଷ ରଥ ଟାଣି ମାଉସୀମା’ ମନ୍ଦିର ନିକଟରେ ପହଞ୍ଚାଇଥିଲେ ା ରଥାରୂଢ ତିନି ଠାକୁରଙ୍କୁ ଭକ୍ତମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଦର୍ଶନ କରିଥିଲେ ା ପରେ ଘଣ୍ଟ, ଘଣ୍ଟା, କାହାଳି, ହରିବୋଲ, ହୁଳହୁଳି ଧ୍ୱନିରେ ଶ୍ରୀଜୀଉମାନଙ୍କ ପହଣ୍ଡିକାର୍ଯ୍ୟ କରାଯାଇଥିଲା। ସେବାୟତମାନେ ପ୍ରଥମେ ସୁଦର୍ଶନ ପରେ ବଡ ଠକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଗୋଟି ପହଣ୍ଡି କରାଇ ଗୁଣ୍ଡିଚା ମନ୍ଦିର ଭିତରକୁ ନେଇଥିଲେ ା ଶାନ୍ତିଶୃ୍‌ଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆସନ୍ତା ନବମୀ ପର୍ଯ୍ୟନ୍ତ ତିନିଠାକୁର ମାଉସୀମା’ ମନ୍ଦିରରେ ରହି ଭକ୍ତମାନଙ୍କୁ ଦର୍ଶନ ଦେବେ।