ମହିଳା ଥାନାରେ ହେବ ଚାଇଲ୍ଡ ଫ୍ରେଣ୍ଡଲି ରୁମ୍‌

ଭୁବନେଶ୍ୱର,୧୬।୩(ବ୍ୟୁରୋ): ପ୍ରତିଦିନ ମହିଳା ଥାନାକୁ ଏକାଧିକ ମହିଳାମାନେ ନିଜର ଅଭିଯୋଗ ନେଇ ଆସୁଛନ୍ତି। ଏପରିକି ସେମାନେ ସାଥିରେ ସେମାନଙ୍କ ପିଲାଙ୍କୁ ମଧ୍ୟ ଥାନାକୁ ଆଣୁଛନ୍ତି। ଫଳରେ ମା’ ଅଭିଯୋଗ ଲେଖିବା ସମୟରେ ଶିଶୁମାନେ ହଇରାଣ କରିବା ସହ ଥାନା କର୍ମଚାରୀ ଶିଶୁଙ୍କୁ ସମ୍ଭାଳିବାକୁ ନାକେଦମ ହେବାକୁ ପଡ଼ିଥାନ୍ତି। ବିଶେଷ କରି ମହିଳା ଅଭିଯୋଗ ଆଧାରରେ ତଦନ୍ତକାରୀ ଅଧିକାରୀ ମହିଳାଙ୍କ ବୟାନ ନେବା ସମୟରେ ମଧ୍ୟ ଶିଶୁ ସମସ୍ୟା ସୃଷ୍ଟି କରନ୍ତି। ଏହାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ମହିଳା ଥାନାରେ ଚାଇଲ୍ଡ ଫ୍ରେଣ୍ଡଲି ଡେସ୍କ ଖୋଲାଯିବ। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଥିବାବେଳେ ତାହା ଅନୁମତି ମିଳିଥିବା ଜଣାପଡିଛି। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ରୁମ୍‌ରେ ଶିଶୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା ରହିବ। ରୁମ୍‌ଟି ପୂରା ପ୍ଲେ ସ୍କୁଲ ଆକାରର କରାଯିବ। ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଥାନାକୁ ଆସୁଥିବା ଛୋଟପିଲା ପୋଲିସକୁ ନିଜର ବନ୍ଧୁପରି ଭାବିବେ। ଏହି ରୁମ୍‌ରେ ଛୋଟ ପିଲା ଖାଇବା ପାଇଁ ମିଲ୍‌କୀ ପାଉଡର,ବିସ୍କୁଟ ସହ ବିଭିନ୍ନ ଖେଳନା ଓ ଡ୍ରଇଁ ପାଇଁ ପେନ୍‌ସିଲ୍‌, କାଗଜ ଓ ରଙ୍ଗ୍‌ ରଖାଯିବ। ଏହି ରୁମ୍‌ ମହିଳା ଥାନା ପରିସରରେ ହେଲେ ମଧ୍ୟ ଥାନାରୁ ସାମାନ୍ୟ ଦୂରରେ କରାଯିବ। ଯେପରି ଥାନାକୁ ପିଲା ଆଣି ଆସୁଥିବା ମା’ମାନେ ପିଲାଙ୍କୁ ଏହି ଡେସ୍କରେ ଛାଡି ପୋଲିସ ସହ ତଦନ୍ତ ପାଇଁ ସାଥିରେ ଯାଇପାରିବେ। ଏଠାରେ ଜଣେ ମହିଳା କନ୍‌ଷ୍ଟେବଳ ସାଦା ପୋଷାକରେ ରହିବେ। ସେ ଶିଶୁଙ୍କ ଖାଇବା ଠାରୁ ଆରମ୍ଭ କରି ଦେଖାରଖା କରିବେ। ଏହି ରୁମ୍‌ର କାନ୍ଥରେ ବିଭିନ୍ନ ରଙ୍ଗବେରଙ୍ଗର ଚିତ୍ର କରାଯିବ। ଏହି ଚାଇଲ୍ଡ ଫ୍ରେଣ୍ଡଲି ରୁମ୍‌ ଚେନ୍ନାଇ,ଦ୍ୱିଲ୍ଲୀ,ମୁମ୍ବାଇ ଭଳି ବଡ ବଡ ସହରରେ ଥିବା ମହିଳା ଥାନାରେ କରାଯାଇଛି।