ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗରେ ଜେଲ୍‌ ଗଲେ ସ୍ବାମୀ

ରୂପ୍‌ସା,୧୩।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରସଲପୁର ପଞ୍ଚାୟତ ବଡ଼ଧନାଡ଼ି ଗ୍ରାମର ସଞ୍ଜୁ ତରେଇ ନାମ୍ନୀ ମହିଳାଙ୍କୁ ହତ୍ୟା ଅଭିଯୋଗରେ ବସ୍ତା ପୋଲିସ ତାଙ୍କ ସ୍ବାମୀ ଶଙ୍କର ତରେଇଙ୍କୁ ରବିବାର ଗିରଫ କରିଛି। ସଞ୍ଜୁଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ. ୧୦/୨୦) ରୁଜୁ କରି ତଦନ୍ତ ଜାରି ରଖିଥିଲା। ମହିଳା ଜଣକ ଫାଶୀ ଦେଇ ଆମତ୍ହତ୍ୟା କରିଥିବା ପରିବାର ଲୋକେ କହୁଥିବା ବେଳେ ମୃତକଙ୍କ ଭାଇ ସଦର ଥାନା ବେଳଦା ଗ୍ରାମର ରାଜେନ୍ଦ୍ର ମାଝି ତାଙ୍କ ଭଉଣୀଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି। ଗିରଫ ଅଭିଯୁକ୍ତ ଶଙ୍କରଙ୍କୁ କୋର୍ଟଚାଲାଣ କରାଯାଉଛି।