ମହିଳାଙ୍କ ମଦ ବିରୋଧୀ ଶୋଭାଯାତ୍ରା

ରାଇରଙ୍ଗପୁର,୨୧ା୮(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ମୁଣ୍ଡାଠାକୁରା ଗ୍ରାମ ଶକ୍ତିମୟୀ ମହିଳା ସଂଗଠନ ପକ୍ଷରୁ ମଙ୍ଗଳବାର ମଦ ବିରୋଧୀ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାନେତ୍ରୀ ଗାୟତ୍ରୀ ମହାନ୍ତ ଏବଂ ସମ୍ପାଦିକା ବାସନ୍ତୀ ମହାକୁଡଙ୍କ ନେତୃତ୍ୱରେ ୨ଶହରୁ ଊର୍ଦ୍ଧ୍ୱ ମହିଳା ମୁଣ୍ଡାଠାକୁରା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଶୋଭାଯାତ୍ରାରେ ବାହାରି ବନ୍ତଳୀ ଛକ ପର୍ଯ୍ୟନ୍ତ ଯାଇଥିଲେ। ମୁଣ୍ଡାଠାକୁରା ଓ ବନ୍ତଳୀ ଛକ ରାସ୍ତା ପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ କରିବାକୁ ସେମାନେ ଦାବି କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ଏହି ମଦ ଦୋକାନ ବନ୍ଦ କରା ନ ଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିକ୍ଷୋଭକାରୀ ମହିଳାମାନେ ଚେତାବନୀ ଦେଇଛନ୍ତି। ସଂଗଠନ ପକ୍ଷରୁ ରାଇରଙ୍ଗପୁର ଅବକାରୀ ଇନ୍ସପେକ୍ଟରଙ୍କୁ ଏଥିନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି।