Categories: ଗଞ୍ଜାମ

ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ୩ ଗିରଫ

ବ୍ରହ୍ମପୁର ଅଫିସ,୩ା୬: ସଦର ଥାନା ଅନ୍ତର୍ଗତ ଲୋଚାପଡା ଚୈତନ୍ୟନଗରରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଲୋଚାପଡାର ଦିଲୀପ ପାଣିଗ୍ରାହୀ (୨୭), ଦିଗପହଣ୍ଡି ଥାନା କଂସାମାରି ଗ୍ରାମର ଜଗନ୍ନାଥ ଗୌଡ଼ (୨୮) ଓ ହିଞ୍ଜିଳିିକାଟୁର କୃଷ୍ଣ ସେଠୀ (୨୫)। ମାମଲା ନଂ.୧୪୦/୧୯ ଅନୁସାରେ ଶନିବାର ରାତିରେ ଉକ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଭାବନାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ମହିଳା ଜଣକ ଘରେ ଏକାକୀ ରହୁଥିବା ଜାଣି ଗତ ୩୧ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ଦିଲୀପ ତାଙ୍କର ଅନ୍ୟ ୨ ସହଯୋଗୀ ଜଗନ୍ନାଥ ଓ କୃଷ୍ଣ ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ମହିଳାଙ୍କୁ କବାଟ ଖୋଲିବା ପାଇଁ କହିଥିଲେ। ସେ ନ ଖୋଲିବାରୁ ଦିଲୀପ ଓ ତାଙ୍କ ସହଯୋଗୀମାନେ କବାଟ ଭାଙ୍ଗି ଘରେ ପଶିଥିଲେ। ବଳପୂର୍ବକ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ସେଥିରେ ବିଫଳ ହେବା ପରେ ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଚିତ୍କାର ଶୁଣି ସାହି ଲୋକମାନେ ରୁଣ୍ଡ ହୋଇଯିବାରୁ ଅଭିଯୁକ୍ତମାନେ ସେଠାରୁ ପଳାଇଥିଲେ। ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁ କରି ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରବିବାର ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।