ମହିଳାଙ୍କ ତଣ୍ଟିକାଟି ହତ୍ୟା ଘଟଣାର ପର୍ଦ୍ଦାଫାଶ ଅର୍ଥ ଲୋଭ, ଋଣ ନ ଶୁଝିବାରୁ ହତ୍ୟା

ଶେରଗଡ଼,୮ା୧୨(ଡି.ଏନ୍‌.ଏ.) -ଶେରଗଡ ବ୍ଲକ ବାରସିଙ୍ଗି ଗ୍ରାମରେ ଗତ ୨୭ ତାରିଖ ରାତିରେ କବିତା ସେଠୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଏହି ଘଟଣାର ଫର୍ଦ୍ଦାଫାସ କରିଛି ବଡଗଡ ପୋଲିସ। ମୁଖ୍ୟ ଅଭିଯୁକ୍ତ ବାରସିଙ୍ଗି ଗ୍ରାମର ଶିବ ସେଠୀ ଶନିବାର ସୁରଟ ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ ଷ୍ଟେଶନରୁ ଗିରଫ କରାଯାଇଛି। ଶନିବାର ଆସିକା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରଏ ଏନେଇ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଶିବ ନିୟମିତ କବିତାଙ୍କ ଘରକୁ ଯିବାଆସିବା କରନ୍ତି। କବିତା ଅସୁବିଧା ସମୟରେ ଶିବଙ୍କଠାରୁ ଟଙ୍କା ଧାର ନେଇଥାନ୍ତି। ଇତିମଧ୍ୟରେ କବିତାଙ୍କ ମାଉସୀ ଝିଅଙ୍କୁ ଶିବ ବିବାହ କରିଥିଲେ। ବିବାହବେଳେ ଶିବ ଯାନିଯୌତୁକ ଆଣି ନ ଥିଲେ। ପରେ ଯୌତୁକ ଦାବି କରି ସ୍ତ୍ରୀଙ୍କୁ ବାପଘରେ ଛାଡି ଦେଇଥିଲେ। ସେଠାରେ କୂଳ ସମାଜ ବୈଠକ ବସି ୧ ଲକ୍ଷ ୧୦ହଜାର ଟଙ୍କା ଦେବାପରେ ଶିବ ସ୍ତ୍ରୀଙ୍କୁ ନିଜ ପାଖକୁ ଆଣିଥିଲେ। ସେଥିରୁ ମଧ୍ୟ କବିତା ୧୦ହଜାର ଟଙ୍କା ନେଇଥିଲେ। ଏଥିସହ ଏକ ଫାଇନାନ୍ସ କମ୍ପାନୀରୁ କବିତା ତାଙ୍କ ଭାଇଙ୍କ ପାଇଁ ଗୋଟିଏ ବୋଲେରୋ କିଣିଥିଲେ। ଶିବ ଏହାର ଗ୍ୟାରେଣ୍ଟର ଥିଲେ। ମାତ୍ର ୩/୪ବର୍ଷ ଯାଏ କିସ୍ତି ନ ଶୁଝିବାରୁ ଫାଇନାନ୍ସ କମ୍ପାନୀ ଶିବଙ୍କୁ ୫ଲକ୍ଷ ୫୭ହଜାର୧୨୧ ଟଙ୍କା ତୁରନ୍ତ ପୈଠ ପାଇଁ ୭ ନଭେମ୍ବର ୨୦୧୯ରେ ଚିଠି କରିଥିଲା। କବିତାଙ୍କୁ ଟଙ୍କା ମାଗିବାରୁ ସେ ଧରାଛୁଅଁା ଦେଇ ନ ଥିଲେ। ଶେଷରେ ନିରାଶ ହୋଇ ହତ୍ୟା କରିବାକୁ ଯୋଜନା କରିଥିଲେ ଶିବ। ଏନେଇ ଦୁଇଟି ସର୍ଜିକାଲ ବ୍ଲେଡ କିଣିଥିଲେ। ରାତି ପାହିଲେ ଗୁରୁବାର ଥିବାରୁ କବିତା ୨୭ତାରିଖ ରାତିରେ ଚିତା ପକାଉଥିଲେ। ସ୍ବାମୀ ପୂଜା ସାମଗ୍ରୀ ପାଇଁ ବଜାର ଯାଇଥିଲେ। ରାତି ପ୍ରାୟ ୭ଟାରେ ଶିବ ଆସି କବିତାଙ୍କୁ ଟଙ୍କା ମାଗିଥିଲେ। ସେ ମନା କରିବାରୁ ସର୍ଜିକାଲ ବ୍ଲେଡରେ ତଣ୍ଟି କାଟି ଫେରାର ହୋଇଯାଇଥିଲେ। ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲେ। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣୀ ପ୍ରଧାନଙ୍କ ନେତୃତ୍ୱରେ ଶେରଗଡ, ବଡଗଡ ଓ ପାଟପୁର ପୋଲିସ ତିନୋଟି ଟିମ୍‌ କରି
ଛାନବିନ୍‌ ଚଳାଇଥିଲେ।