ମହିଳାଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର,୧୧ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ ଫାଗୁରାମ ଟୁଡୁଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା (୪୦)। ଅପରାହ୍ନ ୩ଟା ୩୦ ସମୟରେ ସ୍ବର୍ଣ୍ଣଲତା ଘରପାଖ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇ ଫେରି ନ ଥିଲେ। ସନ୍ଧ୍ୟା ସମୟରେ ତାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଇଛି। ଏଥିନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୮/୧୯) ରୁଜୁ ହୋଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ।