ମହିଳାଙ୍କୁ ହତ୍ୟା ଧମକ ମାମଲା: ଅଭିଯୁକ୍ତ ଦୋଷୀ

ଛତ୍ରପୁର,୧୩ା୯(ଡି.ଏନ୍‌.ଏ.)-ମହିଳାଙ୍କୁ ହତ୍ୟା ଧମକ ମାମଲାର ୪ ମାସ ମଧ୍ୟରେ ଶୁଣାଣି କରି ଛତ୍ରପୁର ସବ୍‌ଡିଭିଜନାଲ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ପାଣିଗ୍ରାହୀ ଶୁକ୍ରବାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା କଲ୍ୟାଣପୁର ମଝିସାହିର ଡ଼ି ଲିଙ୍ଗରାଜ ରେଡ୍ଡୀ। ଜୀବନରେ ମାରିବା ଧମକ ଦେବା ଅପରାଧ ନିମନ୍ତେ ଉଦ୍ଦିଷ୍ଟ ଦଣ୍ଡରେ ତାଙ୍କୁ ଦଫା ୫୦୬ ଅନୁସାରେ ୪ମାସ କାରାଦଣ୍ଡ ଓ ୧୦୦୦ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ନିର୍ଦ୍ଧାରିତ ଅର୍ଥ ଦେଇ ନ ପାରିଲେ ଅଧିକ ୭ଦିନ ଜେଲଦଣ୍ଡ ଭୋଗିିବାକୁ ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ କ୍ୟାଡର୍‌ ଏପିପି ରାଜେଶ କୁମାର୍‌ ମିଶ୍ର, ଏପିପି କୃଷ୍ଣଚନ୍ଦ୍ର ବେହେରା ଓ ଏପିପି ସୌରୀ ପ୍ରସାଦ ବେହେରା ମାମଲା ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ୨୦୧୯ ଏପ୍ରିଲ ୨୭ ତାରିଖରେ ଅଭିଯୋଗକାରୀ ମହିଳାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଲିଙ୍ଗରାଜ ତାଙ୍କୁ ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ପୋଲିସକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ମହିଳାଙ୍କ ପାଟି ଶୁଣି ତାଙ୍କ ଭଉଣୀ ପହଞ୍ଚି ଅଭିଯୁକ୍ତଙ୍କ କବଳରୁ ତାଙ୍କୁ ବଞ୍ଚାଇଥିଲେ । ଏ ନେଇ ମହିଳା ଜଣଙ୍କ ତାଙ୍କ ବାପାଙ୍କ ସହ ଗଞ୍ଜାମ ଥାନାକୁ ଯାଇ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୩୨/୨୦୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସ ଏଏସ୍‌ଆଇ ବିଜୟ କୁମାର ନାୟକ ଏହି ମାମଲାର ଚାର୍ଜଶିଟ ଦାଖଲ କରିଥିଲେ।
୬ ସାକ୍ଷୀ ଓ ଅନ୍ୟ ପ୍ରମାଣକୁ ବିଚାର କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।