ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି। ବୁଧବାର ବିଧାନସଭାର ଶୂନ୍ୟକାଳରେ ପ୍ରଦୀପ୍ତ ଏହିସବୁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ପ୍ରଦୀପ୍ତ କହିଥିଲେ ଯେ, ସ୍ମିତାରାଣୀ ହତ୍ୟାକାଣ୍ଡ ସହ ସଂପୃକ୍ତ ହୋଇଥିବା ସେ ଗୃହ କାହିଁକି ଭଙ୍ଗା ଯାଉନାହିଁ। ସେଠାରେ କ’ଣ ଆଉ ଏକ ଅଘଟଣ ଘଟୁ ବୋଲି ସରକାର ଚାହୁଁଛନ୍ତି। ଜଗତ୍‌ସିଂହପୁର ପରି ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଥାନା ଅଧୀନ ବରୋମଲରେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ପାରାଦୀପରେ ଜଣେ ଛାତ୍ରୀଙ୍କ ଶବ ମିଳିଛି। ଏହି ସବୁ ଘଟଣା ଲଜ୍ଜାଜନକ ବୋଲି ପ୍ରଦୀପ୍ତ କହିଛନ୍ତି। ବଲାଙ୍ଗୀର ଜିଲାରେ ଘଟିଥିବା ବଳାତ୍କାର ଘଟଣାରେ କଣ୍ଟାବାଞ୍ଜି ଆଇଆଇସିଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ସନ୍ତୋଷ ସିଂ ସାଲୁଜା ଦାବି କରିଥିଲେ। ଉଲ୍ଲେଖ ପ୍ରଶ୍ନକାଳର ପ୍ରଥମରୁ ସାଲୁଜା ଲୋୟର ଇନ୍ଦ୍ର ଏବଂ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଦାବି କରିଥିଲେ। ଏହି ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜ ଆସନରେ ଛିଡ଼ା ହୋଇ ଫ୍ଲେକ୍ସ ଧରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା ଲକ୍ଷ୍ୟ କରି ଫ୍ଲେକ୍ସ ବାହାରକୁ ନେବା ପାଇଁ କହିବା ସହ ଶୂନ୍ୟକାଳରେ କହିବାକୁ ସମୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।