ମହିଳାଙ୍କୁ ପିଟି ହତ୍ୟା: ୩ ଅଟକ

କପ୍ତିପଦା,୨୦ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅଧୀନ ରୁଗୁଡି ଗ୍ରାମର ଜଣେ ଯୁବକ ତାଙ୍କ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା   ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ଜିରୋ ସଏ । ମୃତକଙ୍କ ମାଆ ଗୁରୁବାରୀ ସିଂଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୯/୨୦) ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଉଦଳା ପଠାଯାଇଛି । ଏହି ଘଟଣାରେ ଶାଶୁ କୁନି ସଏ, ଶ୍ୱଶୁର ବିଜୟ ସଏ ଓ ସଉତୁଣୀ ଜାନୀ ସଏଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ମୁଖ୍ୟ ଅଭିଯୁକ୍ତ ସ୍ବାମୀ ଗୁରା ସଏ ଫେରାର ଥିବା ପୋଲିସ କହିଛି।
ପୋଲିସ ସୂଚନା ଅନୁଯାୟୀ, ଗୁରା ବିବାହ କରିଥିବା ସତ୍ତ୍ୱେ ଗତ ୨ ବର୍ଷ ତଳେ ଦେୱାନବାହାଳୀ ଗ୍ରାମର ମୃତ ଜିରୋଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହ ପରେ ଅଧିକାଂଶ ସମୟରେ ସେମାନଙ୍କ ମଧ୍ୟରେ ବିଭିନ୍ନ ପାରିବାରିକ ସମସ୍ୟାକୁ ନେଇ ଝଗଡ଼ା ଲାଗି ରହୁଥିଲା। ଗତ ରବିବାର ରାତିରେ ଉଭୟଙ୍କ ମଧ୍ୟରେ କଳହ ଚରମ ସୀମାରେ ପହଞ୍ଚିଥିଲା ା ରବିବାର ରାତିର ଘଟଣାକୁ ନେଇ ଗୁରା ସୋମବାର ଜିରୋଙ୍କୁ ନିସ୍ତୁକ ପିଟି ଥିଲେ। ଜିରୋ ଗୁରୁତର ହେବା ସତ୍ତ୍ୱେ ସେ ତାଙ୍କୁ ଡାକ୍ତରଖାନା ନ ନେଇ ଘରେ ରଖିଥିଲେ। ପରେ ମରି ଯାଇଥିବା ଜାଣି ମୃତଦେହ ଲୁଚାଇ ରଖିଥିଲେ। ଜିରୋଙ୍କ ବାପ ଘର ଲୋକେ ଖବର ପାଇ ଶରତ ଥାନାରେ ମଙ୍ଗଳବାର ସନ୍ଧ୍ୟାରେ ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା ା